କେନ୍ଦୁଝରରେ ରାଜ୍ୟ ଶିଶୁ ଶ୍ରମ ନିବାରଣ ଅଭିଯାନ ଆରମ୍ଭ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତତ୍ତ୍ୱାବଧାନରେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାରହଲଠାରେ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିବାରଣ ଅଭିଯାନ ଶୁଭାରମ୍ଭ ହୋଇଯାଇଛି। ଶିଶୁ ଶ୍ରମିକ ଉଚ୍ଛେଦ ଦିଗରେ ସାମୂହିକ ପ୍ରୟାସକୁ ସୁଦୃଢ଼ କରିବା ଦିଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁ ଶ୍ରମ କେବଳ ଏକ ଆଇନଗତ ଉଲ୍ଲଂଘନ ନୁହେଁ ବରଂ ଏକ ଗୁରୁତର ସାମାଜିକ ଅନ୍ୟାୟ।

     ସେ କହିଥିଲେ ଯେ, ପ୍ରବର୍ତ୍ତନକୁ ସୁଦୃଢ଼ କରିବା, ପୁନର୍ବାସ ପଦକ୍ଷେପରେ ଉନ୍ନତି ଆଣିବା ଏବଂ ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଶିଶୁ-ଶ୍ରମ ମୁକ୍ତ ସମାଜ ହାସଲ କରିବା ପାଇଁ ଜନସଚେତନତା ଏବଂ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

     ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ନିଜ ଅଭିଭାଷଣରେ ଶିଶୁ ଶ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ହୋଇ ରହିଛି ଯାହା ନିରନ୍ତର ସଚେତନତା, ଗୋଷ୍ଠୀ ଅଂଶଗ୍ରହଣ ଏବଂ ଆଇନର କଠୋର କାର୍ଯ୍ୟକାରିତା ଆବଶ୍ୟକ କରିଥାଏ । ପ୍ରତ୍ୟେକ ଶିଶୁ ଶିକ୍ଷା, ସୁରକ୍ଷା ଏବଂ ମର୍ଯ୍ୟାଦାର ଅଧିକାର ପାଇବାକୁ ଯୋଗ୍ୟ ବୋଲି କହିଥିଲେ। ପ୍ରଭାବିତ ଶିଶୁମାନଙ୍କୁ ଚିହ୍ନଟ, ପ୍ରତିରୋଧ ଏବଂ ପୁନର୍ବାସ ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ  ଶ୍ରୀମତୀ ପାତ୍ର ଆହ୍ୱାନ କରିଥିଲେ। ଶିଶୁମାନଙ୍କ ପାଇଁ ଏକ ସୁରକ୍ଷାତ୍ମକ ପରିବେଶ ସୃଷ୍ଟି କରିବାରେ ସ୍ଥାନୀୟ ପ୍ରଶାସନ, ନାଗରିକ ସମାଜ ଏବଂ ପରିବାରଗୁଡ଼ିକର ଭୂମିକାକୁ ସେ ରେଖାଙ୍କିତ କରିଥିଲେ।

      ଅନ୍ୟମାନଙ୍କ ମଧ୍ୟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ଅଧ୍ୟକ୍ଷା ମମିତା ନାଏକ, ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠୀ, ଜିଲ୍ଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ମନସ୍ମିତା ଖୁଣ୍ଟିଆ, କଳ୍ପନା ଲେଙ୍କା, କସ୍ତୁରୀ ମିଶ୍ର, ସୁଜାତା ନାୟକଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର, ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୂର୍ଯ୍ୟନାରାୟଣ ମାଳୀ, ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଶୋୟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରିୟଙ୍କା ମଲ୍ଲିକ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *