କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପ୍ରଶାସନିକ ଅବହେଳାରୁ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ହେବାକୁ ଯାଉଛି ଆଉ ଏକ ଜିତୁ ମୁଣ୍ଡା ଘଟଣାର ପୁନରାବୃତ୍ତି । ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ଲୁଙ୍ଗା ଗ୍ରାମର ଜଗମୋହନ ମୁଣ୍ଡାଙ୍କ ପୁଅ ଶରତ ଗତ ଅକ୍ଟୋବର ୨୪ ତାରିଖରେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିଲେ l ତୁରୁମୁଙ୍ଗା ପୁଲିସ ଶବକୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଇଥିଲେ l
ପାଣିରେ ବୁଡି ମରିବା ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆ ଯାଉଥିବା ଜାଣିବା ପରେ ଜଗମୋହନ ୨ ମାସ ଧରି କସରତ କରିବା ପରେ ମୃତ୍ୟୁ ପ୍ରମାଣପତ୍ର ଓ ବ୍ୟବଚ୍ଛେଦ ରିପୋର୍ଟ ସଂଗ୍ରହ କରି ଉଦୟପୁର ଆର.ଆଇ ଦାୟିତ୍ୱରେ ଥିବା ଗୌରହରି ନାଏକଙ୍କୁ ଆବେଦନ କରିବା ପାଇଁ ଦେଇଥିଲେ l ଉକ୍ତ ତଥ୍ୟକୁ ଡାମ ପୋର୍ଟାଲରେ ଲୋଡ଼ କରି ତହସିଲଦାରଙ୍କ ନିକଟକୁ ଗଲା ପରେ ଜଗମୋହନ ଟଙ୍କା ପାଇବେ l
ମାତ୍ର ଆଜିକୁ ୭ ମାସ ହେବ ଆର.ଆଇ ତାହା କରୁ ନଥିବାବେଳେ ବିଭିନ୍ନ ଆଳ ଦେଖାଇ ଆଦିବାସୀ ଅସହାୟ ଲୋକଙ୍କୁ ହଇରାଣ କରିଥିବାରୁ ସେ ସାହାରପଡା ତହସିଲଦାରଙ୍କୁ ମଧ୍ୟ ୨ ଥର ଭେଟି ଗୁହାରି କରିଥିଲେ l ଆର.ଆଇଙ୍କ ସହ କଥା ହୋଇ ଖୁବ ଶିଘ୍ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ତହସିଲଦାର ଆବେଦନକାରୀ ଜଗମୋହନଙ୍କୁ ପ୍ରତିଶ୍ରୁତି ଦେଉଥିଲେ । ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ଏହି ଘଟଣାକୁ ଚାପି ଦେଉ ଆଦିବାସୀ ଲୋକଙ୍କୁ ଏକ ପ୍ରକାର ଶୋଷଣ କରିଥିବା ଚିତ୍ର ଏବେ ସାମ୍ନାକୁ ଆସୁଛି l
ଏ ସମ୍ପର୍କରେ ଆର.ଆଇଙ୍କୁ ବୁଝିବାରୁ ସେ କହିଲେ ତହସିଲଦାର ନ କହିଲେ ମୁଁ କରିବି ନାହିଁ ବହୁତ ଦିନ ହୋଇ ଗଲାଣି ତହସିଲଦାର ମୋତେ ପାଟି କରିବେ, ନ ହେଲେ ଜିଲ୍ଲାପାଳଙ୍କୁ ଜଣାଅ ବୋଲି ରୋକଠୋକ କହିଥିଲେ l ୭ ମାସ ଦୌଡ଼ି ଜଗମୋହନଙ୍କ ଧୈର୍ଯ୍ୟର ସୀମା ଟପି ଗଲାଣି । ଏବେ ସୁଦ୍ଧା ସାହାରପଡା ତହସିଲଦାର ଏବଂ ଆର.ଆଇ ସହଯୋଗ ନକରି ହଇରାଣ ହରକତ କରି ଆସୁଥିବାରୁ ଜିତୁ ମୁଣ୍ଡା ପରି ପୁଅ କଙ୍କାଳ ଧରି ଆସନ୍ତା ୨୫ ତାରିଖ ସାହାରପଡା ବ୍ଲକରେ ହେବାକୁ ଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯିବି ବୋଲି ଜଗମୋହନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଘଟଣାର ସଠିକ୍ ତଦନ୍ତ କରି ଯଥାଶିଘ୍ର ନ୍ୟାୟ ପ୍ରଦାନ ପାଇଁ ସାହାରପଡା ଅଞ୍ଚଳବାସୀ ଦାବି କରିଛନ୍ତି ।
ଏ ସମ୍ପର୍କରେ ସାହାରପଡ଼ା ତହସିଲଦାରଙ୍କୁ ପଚାରିବାରୁ, ପ୍ରୋସେସରେ ଅଛି ଖୁବ୍ ଶିଘ୍ର ଜଗମୋହନଙ୍କୁ ତାଙ୍କର ପ୍ରାପ୍ୟ ମିଳିଯିବ ବୋଲି କହିଛନ୍ତି ।
