କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜିତୁ ମୁଣ୍ଡା ଟଙ୍କା ଉଠାଣ ପାଇଁ ମୃତ ଭଉଣୀର କଙ୍କାଳକୁ ବୋହି ବ୍ୟାଙ୍କରେ ପହଞ୍ଚିବା ଘଟଣା ରାଜ୍ୟ ସମେତ ଦେଶକୁ ନିନ୍ଦିତ ହୋଇଛି। ଏହି ଘଟଣାର ଆରଡିସି ତଦନ୍ତ ତଥ୍ୟ ସନ୍ତୋଷଜନକ ନଥିବାବେଳେ ଜିତୁଙ୍କୁ ଏଯାବତ ଛୁଟୁଛି ସହାୟତାର ସୁଅ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରଡିସି ଘଟଣାର ତଦନ୍ତ ସରିଛି। କିନ୍ତୁ ଆରଡିସିଙ୍କ ପ୍ରତିକ୍ରିୟା ସମ୍ପୃକ୍ତ ବ୍ୟାଙ୍କରେ କିମ୍ବା ଏସସି/ଏସଟି କର୍ମଚାରୀ କଲ୍ୟାଣ ପରିଷଦ ପାଟଣାରେ ନଦେଇ କେନ୍ଦୁଝରର ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ବ୍ୟାଙ୍କ ଶାଖା ପରିଚାଳକଙ୍କୁ କ୍ଲିନ୍ ଚିଟ୍ ଦେଇଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ବହୁ ଲୋକ ଜିତୁଙ୍କ ପାଖକୁ ଆସୁଥିବା ଓ ଟଙ୍କା ଠାରୁ ତେଜରାତି ସାମଗ୍ରୀ, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଦେଉଥିବାରୁ ଜିତୁ ବେଶ ଖୁସି ଅଛନ୍ତି। ଜିତୁଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବା ସହ ମୃତା ଭଉଣୀ ନାମରେ ଥିବା ଅନ୍ତୋଦୟ କାର୍ଡ ତାହା ନାମରେ କରାଯାଇ ମାସିକ ୩୫ କି.ଗ୍ରା ଚାଉଳ ମଧ୍ୟ ଦିଆଯାଇଛି। ବିଦ୍ୟୁତ୍ ବିଭାଗ ମଧ୍ୟ ତାଙ୍କ ଘରକୁ ବିଜୁଳି ଯୋଗାଇ ଦେଇଛି।ନୂଆ ବିଜୁଳି ପଙ୍ଖା, ନୂଆ ସାଇକେଲ ଆଜି ଜିତୁଙ୍କ ପାଖରେ ଥିବାବେଳେ ଅଧିକାଂଶ ସମୟରେ ଖୋଲା ଦେହରେ ରହୁଥିବା ଜିତୁ ଆଜି ଦିନରେ ଦୁଇଥର ପୋଷାକ ବଦଳାଇବାରେ ସକ୍ଷମ ହୋଇଛନ୍ତି।
ଏଯାବତ ତାଙ୍କ ବ୍ୟାଙ୍କ ଜମାଖାତାରେ ମୋଟ ୧୨ ଲକ୍ଷ ୪୫ ହଜାର ଜମା ହୋଇଛି। ସେଥିମଧ୍ୟରୁ ଫିଜିକ୍ସ ୱାଲା ସଂସ୍ଥାର ଅଲେଖ ପାଣ୍ଡେ ସର୍ବାଧିକ ୧୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଥାଡଗାମ ଫାଉଣ୍ଡେସନ ୧ଲକ୍ଷ, ଆମ ଆଦମୀ ପାର୍ଟି ୫୦ ହଜାର ଓ ଅନ୍ୟମାନେ ୯୫ ହଜାର ଟଙ୍କା ଦେଇଛନ୍ତି। ସେହିପରି ନଗଦ ଆକାରରେ ରେଡକ୍ରସ ୩୦ ହଜାର, ପାଟଣା ବିଧାୟକ ୧୦ ହଜାର, କେନ୍ଦୁଝର ସାଂସଦ ୫ ହଜାର, ବିଜୁ ଜନତା ଦଳ ୨୦ ହଜାର, ରାଜ୍ୟ କଂଗ୍ରେସ ୨୪ ହଜାର, ଯୁବ କଂଗ୍ରେସ ୫୦ ହଜାର, ଖିଦମତ ଫାଉଣ୍ଡେସନ ୫୦ ହଜାର ଟଙ୍କା ଦେଇଥିବା ଜଣାପଡିଛି।
