ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୨୦ କୋଟି
ବିଦ୍ୟାଳୟରେ ନିର୍ମାଣ ହେବ ୫୦୦ ସିଟର ଅଡିଟୋରିୟମ: ମିଳିବ ଉନ୍ନତ କ୍ରୀଡା ସୁବିଧା

ପୁରାତନ ଛାତ୍ର ଭାବେ ନୁହେଁ, ମୁଖ୍ୟମନ୍ତ୍ରୀ ଭାବେ ଆଜି ମୁଁ ମୋ ସ୍କୁଲ ପାଇଁ ଗର୍ବିତ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜଣେ ପୁରାତନ ଛାତ୍ର ଭାବେ ନୁହେଁ ବରଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଆଜି ମୁଁ ମୋ ସ୍କୁଲ ପାଇଁ ଗର୍ବିତ। ଏହାଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ଅଭିଭାଷଣ। ଅଭିଭାଷଣ ସମୟରେ କେତେବେଳେ ସେ ହୋଇଯାଉଥିଲେ ଭାବିବିହ୍ଵଳ ତ ଆଉ କେତେବେଳେ ଖୁସି । ନିଜ ଗୁରୁ ମାନଙ୍କୁ ପାଖରେ ଦେଖି ମୁଖ୍ୟମନ୍ତ୍ରୀ ପାଦଛୁଇଁ ପ୍ରଣାମ କରିବା ସହିତ ସମସ୍ତ ଶିକ୍ଷକଙ୍କୁ ଓ ସହପାଠୀ ମାନଙ୍କୁ ସମ୍ମାନିତ କରିଥିଲେ। ଶିକ୍ଷକ ମାନେ ମଧ୍ୟ ନିଜ ଆଦରର ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସ୍ନେହରେ କୋଳାଗ୍ରତ କରୁଥାନ୍ତି।
ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଛନ୍ତି। ଏହି ଅର୍ଥ ବିଦ୍ୟାଳୟର ବହୁବିଧ ଉନ୍ନତିକରଣରେ ଖର୍ଚ୍ଚ ହେବ। ୫୦୦ ସିଟର ଅଡିଟୋରିୟମ, ବହୁ ମହଲା ବିଶିଷ୍ଟ ବିଲଡିଂ, ଇନଡୋର କ୍ରୀଡା ସୁବିଧା, ସ୍କୁଲ ପାଚେରୀ, ସାଇକେଲ ଷ୍ଟାଣ୍ଡ ଆଦି ନିର୍ମାଣ ପାଇଁ ଏହି ଅର୍ଥ ପ୍ରଦାନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଧିକ ଅର୍ଥର ଆବଶ୍ୟକତା ହେଲେ ମଧ୍ୟ ବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ପ୍ରଦାନ କରିବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହା ମଧ୍ଯ କହିଛନ୍ତି ଯେ ଖୁବ ଶୀଘ୍ର କାନୁପୁର ବନ୍ଧ ଦେଇ ଝୁମ୍ପୁରାର ସମସ୍ତ ଚାଷ ଜମି ପାଇବେ ଜଳ। ରାଇକଳା ପଞ୍ଚାୟତକୁ ଉଠା ଜଳସେଚନ ମାଧ୍ୟମରେ ଯିବ ପାଣି। ଖାଲି ଝୁମ୍ପୁରା ଲୋକେ ଇଚ୍ଛା କଲେ ଝୁମ୍ପୁରା ବହୁ ବିକଶିତ ହେବ ।ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଝୁମ୍ପୁରା ହାଇସ୍କୁଲ ମଧ୍ୟ ସ୍ଥାନ ପାଇବ। ଶିକ୍ଷା କ୍ଷେତ୍ରରେ ନୁହେଁ, ସମସ୍ତ ଆନୁସଙ୍ଗିକ କ୍ଷେତ୍ରରେ ଏହି ସ୍କୁଲ ହେବ ୧ନଂ ।
ଛାତ୍ରଛାତ୍ରୀ କେବଳ ଅଧିକ ନମ୍ବର ରଖିଲେ ଯେ ଜୀବନରେ ସଫଳତା ମିଳିବ ତାହା ନୁହେଁ, ବରଂ ସଫଳ ହେବା ପାଇଁ ଜ୍ଞାନ ଆହରଣ କରିବା ଆବଶ୍ୟକ। ଯାହାକୁ ଛାତ୍ରଛାତ୍ରୀ ଅଧକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଜ ଛାତ୍ର ଜୀବନରେ ଝୁମ୍ପୁରା ହାଇସ୍କୁଲରେ ବିତାଇଥିବା ସମୟ ବିଷୟରେ କହିଥିଲେ ଏବଂ ସେ ନିଜ ସମସ୍ତ ଗୁରୁଙ୍କ ନିକଟରେ ଋଣୀ ବୋଲି ମତବ୍ୟକ୍ତ କରିଥିଲେ।
ସ୍ଵାଧୀନ ଭାରତର ପ୍ରଥମ ଜନଗଣନା ୧୯୫୧ ଅନୁଯାୟୀ ଭାରତର ସାକ୍ଷରତା ହାର ଥିଲା ୧୮.୩୩ ପ୍ରତିଶତ ଓ ଓଡିଶାର ସାକ୍ଷରତା ହାର ଥିଲା ୧୫.୮୦ ପ୍ରତିଶତ । ଆଦିବାସୀ ଓ ଦଳିତଙ୍କ ମଧ୍ୟରେ ଏହି ସାକ୍ଷରତା ହାର ଏକକ ସଂଖ୍ୟା ମଧ୍ୟରେ ସିମିତ ଥିଲା। ଏହି ସମୟରେ ଶିକ୍ଷାର ପ୍ରସାର ଆବଶ୍ୟକତାକୁ ଅନୁଭବ କରି ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଯାହା ଆଜି ଶିକ୍ଷାର ଆଲୋକ ବାଣ୍ଟି ଚାଲିଛି। ସରକାରଙ୍କ ଯୋଜନା ପାଇବା ଠାରୁ ଆରମ୍ଭ କରି ଟ୍ରେନ ଟିକଟ ବୁକିଙ୍ଗ କରିବା ପାଇଁ ଆଜି ସବୁ ଅନଲାଇନରେ ହେଉଛି। ଆଉ ଏଥିପାଇଁ ପାଠ ପଢିବା ଅତ୍ୟନ୍ତ ଆବଶ୍ୟକ।
ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଥିଲା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପରିକଳ୍ପନା। ପ୍ରତି ପଞ୍ଚାୟତରେ ଅତ୍ୟାଧୁନିକ ଭିତ୍ତିଭୂମି ସହ ଶିକ୍ଷାଦାନ ଏହି ଯୋଜନାର ମୂଳମନ୍ତ୍ର ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୨୦୦ ସ୍କୁଲ ନିର୍ମାଣ କରାଯିବ ଏବଂ କିଛି ଦିନ ତଳେ ୨୦୦ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେବଳ ଭିତ୍ତିଭୂମି ନୁହେଁ, ରାଜ୍ୟରେ ଶିକ୍ଷାର ମାନଦଣ୍ଡ ବୃଦ୍ଧି ପାଇଁ ଏହି ୨ ବର୍ଷ ଭିତରେ ୨୦ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକଙ୍କୁ ଆମ ସରକାର ନିଯୁକ୍ତି ଦେଇଛନ୍ତି। କେବଳ ନିଯୁକ୍ତି ଦେଇନାହୁଁ, ପ୍ରାୟ ୧୩ ହଜାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତିକୁ ନିୟମିତ କରିଛୁ। ଆଗକୁ ପ୍ରାଥମିକସ୍ତରରେ ଆହୁରି ୪୫ହଜାର ଶିକ୍ଷକ ନିଯୁକ୍ତି ଉଦ୍ୟମ ଆରମ୍ଭ ହୋଇଛି ।

ଏଥିସହିତ ରାଜ୍ୟରେ ପିଏମଶ୍ରୀ ଯୋଜନାରେ ମଧ୍ୟ ୮୦୦ ସ୍କୁଲକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ସେହିପରି ଜାତୀୟ ଶିକ୍ଷାନୀତି ଆଧାରରେ ଓଡ଼ିଶାରେ ମଧ୍ୟ ନିପୁଣ ଓଡ଼ିଶା ମିଶନ ଆରମ୍ଭ କରାଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି।
ମାତୃଭାଷାଭିତ୍ତିକ ଶିକ୍ଷଣ ଜରିଆରେ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟରେ ଶିଳ୍ପାୟନର ପ୍ରକ୍ରିୟା ଜାରି ରହିଛି। ପ୍ରାୟ ୩ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହୋଇସାରିଲାଣି। ୨ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇସାରିଛି। ଛାତ୍ରଛାତ୍ରୀ ନିଜ ନିଜ କ୍ଷେତ୍ରରେ ଦକ୍ଷ ହୋଇ ନିଜେ ଆତ୍ମନିର୍ଭର ହେବା ସହିତ, ଦେଶ ଓ ରାଜ୍ୟକୁ ଆତ୍ମନିର୍ଭର ହେବାରେ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ଵାନ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ପୁରାତନ ଶିକ୍ଷକ, ପୁରାତନ ଓ ବର୍ତ୍ତମାନର ସଫଳ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।
ଅନ୍ୟମାନଙ୍କ ମଧ୍ଯରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ମମିତା ନାଏକ, କେନ୍ଦୁଝର ନଗରପାଳ ନିକୁ ସାହୁ,ମୁଖ୍ୟବକ୍ତା ଚିତ୍ତରଞ୍ଜନ ମିଶ୍ର, ହୀରକ ଜୟନ୍ତୀ ସମାରୋହର ଅଧକ୍ଷ ଇଂ ଦେବବ୍ରତ ବେହେରା ଓ ସଭାପତି ଶ୍ରୀକାନ୍ତ ନାଏକ, ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ।

