ରାଜ୍ୟରେ ୪୫ ହଜାର ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି
କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ଶିକ୍ଷକ କେବଳ ପାଠ ପଢ଼ାନ୍ତି ନୁହେଁ, ସେମାନେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଢ଼ନ୍ତି ଓ ସଠିକ୍ ଜୀବନମାର୍ଗ ଦେଖାନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଦାପଳାସାସ୍ଥିତ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ।
ସରକାର ଗଠନ ପରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗତ ଦେଢ଼ ବର୍ଷରେ ପ୍ରାୟ ୨୦ ହଜାର ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ଆଗାମୀଦିନରେ ଆହୁରି ୪୫ ହଜାର ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ସେହିପରି ୧୩ ହଜାର ସ୍କିମାଟିକ୍ ଶିକ୍ଷକଙ୍କୁ ନିୟମିତ କରାଯାଇଛି।

୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧୯୯୭ କୋଟି ଟଙ୍କାରୁ ଅଧିକ ପ୍ରାବଧାନ ରଖାଯାଇଛି, ଯାହା ମୋଟ ବଜେଟର ୧୦.୩ ପ୍ରତିଶତ। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ୨୨୦୦ ପଞ୍ଚାୟତରେ ଏହାର କାମ ଆରମ୍ଭ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୩ କୋଟି ଟଙ୍କା ଅନୁଦାନ ଘୋଷଣା କର୍ବିଥିବା ବେଳେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ପାଇଁ ୧୦ କୋଟି ଟଙ୍କା ଓ ୭ ଏକର ଜମି ଯୋଗାଣ ମଧ୍ୟ ଘୋଷଣା କରିଥିଲେ ।

ସେହିପରି ପିଏମଶ୍ରୀ ଯୋଜନାରେ ରାଜ୍ୟର ୮୦୦ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବା ସହ ନିପୁଣ ଓଡ଼ିଶା ମିଶନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ ବିକାଶ ଉପରେ ଜୋର ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକିର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷକ ନିଳାମ୍ବର ମହାନ୍ତ ସ୍ବାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ଜଗନ୍ନାଥ ସିଂହ ଧନ୍ୟବାଦ ଦେଇଥିଲେ।
