ଅସହାୟଙ୍କୁ ଆନନ୍ଦ ଦେଉଛି ଆନନ୍ଦାଶ୍ରମ

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ସଦର ବ୍ଲକ ବନାଯୋଡିରେ ରହିଛି ସେବତୀ ସିଂଙ୍କ ସ୍ୱେଛାସେବୀ ସଙ୍ଗଠନ ଆଇଡିଆଲ ଡେଭଲପମେଣ୍ଟ ଏଜେନ୍ସି (ଆଇଡିଏ) ପରିଚାଳିତ ଆନନ୍ଦାଶ୍ରମ । ଆଇଡିଏ ତରଫରୁ ବିଭିନ୍ନ ଉନ୍ନୟନମୂଳକ ଯୋଜନା, ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ଏବଂ ଯୁବପୀଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସମ୍ଭାବନା ଦିଗରେ ଗୁରୁତ୍ୱ ଦେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଆଇଡିଏ ତିଆରି କରିଛି ନୂଆ ଆଶା ଓ ସମ୍ଭାବନା।
ଆଜି ଏହି ଅନୁଷ୍ଠାନ କେନ୍ଦୁଝର ସମେତ ସୁନ୍ଦରଗଡ଼, ଅନୁଗୁଳ, ଯାଜପୁର ଓ ମୟୂରଭଞ୍ଜ ଏବଂ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କାର୍ଯ୍ୟ କରାଇ ମହିଳା ମାନଙ୍କୁ ସ୍ଵାବଲମ୍ବୀ କରି ପାରିଛନ୍ତି।
ଆଇଡିଏ ପରିଚାଳିତ ଅନଳାଶ୍ରମ ଗତ କିଛି ବର୍ଷ ଧରି ଅସହାୟଙ୍କ ସାହାରା ପାଲଟିଛି । ଏହି ଆନନ୍ଦାଶ୍ରମରେ ୬୦ରୁ ଉର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ରହୁଛନ୍ତି ଏବଂ ୪୩ ଜଣ ଅନାଥ ପିଲା ମଧ୍ୟ ରହିଛନ୍ତି। ସେମାନଙ୍କ ରହିବା ପାଇଁ ଅଲଗା କୋଠରୀ ରହିଥିବା ବେଳେ, ସଂକ୍ରମଣ ରୋଗୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର କୋଠରୀ । ଏଥିସହ ଖାଇବା ପିଇବା ପାଇଁ ରହିଛି ସୁନ୍ଦର କ୍ୟାଣ୍ଟିନ ସହ ସ୍ୱତନ୍ତ୍ର ବ୍ୟବସ୍ଥା।

ଆନନ୍ଦାଶ୍ରମରେ ରହୁଥିବା ସମସ୍ତ ସଦସ୍ୟ କିଭଳି ଭଲ ସୁସ୍ୱାଦୁ ଖାଦ୍ୟ ପାଇପାରିବେ ସେଥିପାଇଁ ଆଇଡିଏ ତରଫରୁ ଜୈବିକ ଉପାୟରେ ମଧ୍ୟ ଧାନ ଚାଷ, ବିଲାତି, ବାଇଗଣ, କଲରା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପନିପରିବା ଚାଷ ଜାରି ରହିଛି । ମାଛ ଚାଷ ମଧ୍ୟ ଆରମ୍ଭ ହୋଇଛି। କ୍ଷୀର, ଦହି, ଛେନା ଖାଇବା ପାଇଁ ଆନନ୍ଦାଶ୍ରମରେ ଗାଈ ମଧ୍ୟ ରଖାଯାଇଛି।

ସେବତୀଙ୍କ ଠାରୁ ସ୍ନେହ ଶ୍ରଦ୍ଧା ପାଇ ସମସ୍ତ ବୃଦ୍ଧବୃଦ୍ଧା ବେଶ୍ ଖୁସି ଥିବାବେଳେ ଏଠାରେ ରହୁଥିବା ଅନାଥ ପିଲାମାନଙ୍କ ପାଇଁ ସେବତୀ ପାଲଟି ଯାଇଛନ୍ତି ସେବତୀ ମା’ । ଆନନ୍ଦାଶ୍ରମରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ମଧ୍ୟ ରହିଛି । ଏଠାରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଇଥାଏ। ତା ସହ ମାନସିକ ରୋଗୀ ମାନଙ୍କ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ସେଠାରେ ଚିକିତ୍ସା ଯୋଗାଇ ଦିଆ ଯାଉଛି ।
ଅନାଥ ପିଲାମାନଙ୍କ ପାଠପଢା ପାଇଁ ରହିଛି ସ୍ୱତନ୍ତ୍ର ବିଦ୍ୟାଳୟ କୋଠରୀ ପାଠପଢା ଏଠାରେ ବହୁ ଉଚ୍ଚକୋଟୀର। ଏହି ଆନନ୍ଦାଶ୍ରମକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗସ୍ତ କରି ବହୁ ପ୍ରଶଂସା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ଥିବାବେଳେ ବହୁବାର ଏହି ବନାଯୋଡିସ୍ଥିତ ଆନନ୍ଦାଶ୍ରମ ଅନ୍ତେବାସୀଙ୍କ ସହ ମିଶିଛନ୍ତି ଏବଂ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି।

ଅନ୍ୟପକ୍ଷରେ ସମାଜସେବା କ୍ଷେତ୍ରରେ ସେବତୀ ସିଂ ଜିଲ୍ଲା, ରାଜ୍ୟ, ଦେଶ ଓ ବିଦେଶରେ ମଧ୍ୟ ବହୁ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି। ବର୍ତ୍ତମାନର ଯୁବପୀଢ଼ି କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ସେବତୀ ଚେଷ୍ଟା ଚଳାଇଛନ୍ତି । ଅଳ୍ପ ଦିନ ପୂର୍ବରୁ ଜିଲ୍ଲାପାଳ ବିଶାଲ ସିଂ ମଧ୍ୟ ଏହି ଆନନ୍ଦାଶ୍ରମକୁ ପରିଦର୍ଶନରେ ଆସି ଅନ୍ତେବାସୀଙ୍କ ସହ ମିଶିଥିଲେ ଏବଂ ଏଠାକାର ପରିବେଶ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଖୁସିବ୍ୟକ୍ତି କରିଥିଲେ । ପାଖରେ ଜିଲାପାଳଙ୍କୁ ପାଇ ଅନ୍ତେବାସୀ ବହୁତ ଖୁସି ପ୍ରକାଶ କରିଥିଲେ।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମକା ମିଶନ ଦ୍ୱାରା ମକାଚାଷ ହାତକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସେବତୀ । ଏହିଭଳି ଅନେକ ଯୋଜନା ହାତକୁ ନେଇଥିବା ବେଳେ ତାହା ଯଦି ସରକାରୀ ସାହାର୍ଯ୍ୟ ମିଳିପାରନ୍ତା ତାହେଲେ ଆନନ୍ଦାଶ୍ରମ ହସି ଉଠନ୍ତା ଏବଂ ବହୁ ଯୋଜନା କାର୍ଯ୍ୟକାରୀ ହୋଇପାରନ୍ତା ବୋଲି ସମାଜସେବୀ ସେବତୀ ଏହା କହିଛନ୍ତି। ଯୋଜନା କାର୍ଯ୍ୟକାରୀ ହେଲେ ବହୁ ଯୁବବର୍ଗଙ୍କୁ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ସୃଷ୍ଟି ହେବାସହ ବହୁ ମହିଳା ମଧ୍ୟ ସ୍ୱାବଲମ୍ବୀ ହୋଇପାରନ୍ତେ ବୋଲି ଆଇଡିଏ ତଥା ଆନନ୍ଦାଶ୍ରମ ପ୍ରତିଷ୍ଠାତା ସେବତୀ ଆଶାବ୍ୟକ୍ତ କରିଛନ୍ତି ।
