କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ବରିଷ୍ଠ କବୟିତ୍ରୀ ମମତାରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଅଧ୍ୟାପକ ଡ. ସୁରଜ୍ କୁମାର ରଣସିଂହଙ୍କ ଗବେଷଣାତ୍ମକ ପ୍ରବନ୍ଧ ସଙ୍କଳନ ‘ଅନନ୍ୟ ସୃଜନ ପୁରୁଷ ଦେବାଶିଷ ଚକ୍ରବର୍ତ୍ତୀ’ର ପାଠକାର୍ପଣ ଅନୁଷ୍ଠିତ ହୋଇ ଯାଇଛି ।
ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ କବି ଡ. ଚିତ୍ତରଞ୍ଜନ ମିଶ୍ର ସମ୍ପାଦକୀୟ ସୂଚନା ପ୍ରଦାନ କରିବା ଅବସରରେ ଦେବାଶିଷ ଚକ୍ରବର୍ତ୍ତୀଙ୍କ ସୃଜନ ସମଗ୍ର ଉପରେ ଆଲୋକପାତ କରିଥିଲେ। ଗ୍ରନ୍ଥର ରଚୟିତା ଡ. ସୁରଜ କୁମାର ରଣସିଂହ ତାଙ୍କ ବକ୍ତବ୍ୟରେ ଦେବାଶିଷ ଚକ୍ରବର୍ତ୍ତୀଙ୍କ ସୃଜଶୀଳତାକୁ ସୁଖଦ ଆଶ୍ଚର୍ଯ୍ୟ ଭାବରେ ଅଭିହିତ କରିଥିଲେ। ଅନ୍ୟତମ ଅତିଥି ଭାବରେ କବି ଦେବାଶିଷ ଚକ୍ରବର୍ତ୍ତୀ ଯୋଗଦେଇ ତାଙ୍କ ଉପରେ ଗବେଷଣାତ୍ମକ ପ୍ରବନ୍ଧ ସଙ୍କଳନ ପ୍ରକାଶ ପାଇଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହିତ ଏହା ତାଙ୍କର ସୃଜନ ଜୀବନକୁ ପରିପୁଷ୍ଟ କରିବ ବୋଲି ମତପୋଷଣ କରୁଥିଲେ।
ଵିଶିଷ୍ଟ ସମାଲୋଚକ ଡ. ସୁମନ୍ତ୍ର ନାଏକ ଉନ୍ମୋଚିତ ପୁସ୍ତକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ପୁସ୍ତକର ଶୀର୍ଷକ ଯଥାର୍ଥତା ପ୍ରତିପାଦନ କରିଥିଲେ। ବରିଷ୍ଠ କବୟିତ୍ରୀ ଇନ୍ଦୁମତି ପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାହିତ୍ୟ ସାଧକ ଦେବାଶିଷ ଚକ୍ରବର୍ତ୍ତୀଙ୍କ ସୃଷ୍ଟିକୁ କାଳାତୀତ ବୋଲି ମତପୋଷଣ କରିଥିଲେ। ବରିଷ୍ଠ କବୟିତ୍ରୀ ମମତାରାଣୀ ଦାସ ତାଙ୍କର ସଭାପତୀୟ ଅଭିଭାଷଣରେ ନିରନ୍ତର ସାଧନା ହିଁ ସଫଳତାର ଚାବି କାଠି ବୋଲି ପ୍ରକାଶ କରିବା ସହିତ ଶ୍ରୀ ଚକ୍ରବର୍ତ୍ତୀ ହିଁ ଏହି ଉକ୍ତିର ସାର୍ଥକ ନିଦର୍ଶନ ବୋଲି ଅଭିହିତ କରିଥିଲେ।
ବରିଷ୍ଠ କବୟିତ୍ରୀ ଶୋଭନା ଜେନାଙ୍କ ସଂଯୋଜନାରେ ବହୁ କବି ଯୋଗଦେଇ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ଅନୁଷ୍ଠାନର ଯୁଗ୍ମସମ୍ପାଦକ ହରିହର ମହାନ୍ତ ଧନ୍ଯବାଦ ଅର୍ପଣ କରିଥିଲେ।
‘ଅନନ୍ୟ ସୃଜନ ପୁରୁଷ ଦେବାଶିଷ ଚକ୍ରବର୍ତ୍ତୀ’ ଉନ୍ମୋଚିତ
