ପ୍ରକାଶ ପାଇଲା କେନ୍ଦୁଝରର ଚୂଡ଼ାନ୍ତ ଭୋଟର ତାଲିକା

କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂହ ସୋମବାର ମିନି କନ୍‌ଫରେନ୍ସ ହଲ୍‌ଠାରେ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)ର ସଫଳ ସମାପ୍ତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ସିଂହ କହିଥିଲେ ଯେ, ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କୁ ବାଦ୍ ଦେବା ସହ ସମଗ୍ର ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

          ଗଣନା ପର୍ଯ୍ୟାୟ ୩୦ ମେ’ ରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା । ଯେଉଁଥିରେ ଜିଲ୍ଲା ସାରା ଭୋଟରମାନଙ୍କୁ ଗଣନା ଫର୍ମ ବଣ୍ଟନ କରାଯାଇଥିଲା। ସମୁଦାୟ ୧୩,୦୮,୭୬୨ଟି ଗଣନା ଫର୍ମ (୯୫.୩୧%) ଡିଜିଟାଇଜ୍ କରାଯାଇଛି। ସଂଶୋଧନ ପ୍ରକ୍ରିୟା ସମୟରେ ୬୪,୩୭୫ ଜଣ ଅସଂଗୃହୀତ/ଅପ୍ରାପ୍ୟ ଭୋଟର (୪.୬୯%) ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ୩୧,୨୦୦ଜଣ ମୃତ ଭୋଟର, ୨୭,୮୮୭ଜଣ ସ୍ଥାୟୀ ଭାବେ ସ୍ଥାନାନ୍ତରିତ/ଅନୁପସ୍ଥିତ/ଅନ୍ୟାନ୍ୟ ଏବଂ ୫,୨୮୮ଜଣ ଭୋଟର ଅନ୍ୟ ସ୍ଥାନରେ ପଞ୍ଜୀକୃତ ଅଛନ୍ତି। ଏହି ପ୍ରକ୍ରିୟାରେ ସମୁଦାୟ ୩,୮୭୮ଜଣ ବୁଥସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ଅଂଶଗ୍ରହଣ କରିଥିଲେ।

         ଦାବି ଓ ଆପତ୍ତି ଅବଧି ଏବଂ ପରବର୍ତ୍ତୀ ଶୁଣାଣି ଓ ଯାଞ୍ଚ ପ୍ରକ୍ରିୟା ପରେ ଯୁକ୍ତିସଙ୍ଗତ ସମୀକରଣ କରାଯାଇଥିବା ସମସ୍ତ ୧୯୧୫ଟି ବୁଥ୍ ପାଇଁ  ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଫର୍ମ-୬ ମାଧ୍ୟମରେ ୧୨,୪୨୨ଟି ନୂତନ ନାମ ସାମିଲ ଏବଂ ଫର୍ମ-୭ ମାଧ୍ୟମରେ ୧,୫୨୨ଟି ନାମ ବାଦ୍ ଦିଆଯିବା ପରେ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକାରେ ୧୩,୧୯,୧୭୬ ଜଣ ଭୋଟର ରହିଛନ୍ତି। 

           ସେହିପରି ପୁରୁଷ ଭୋଟର ୬,୫୯,୮୮୯ (୫୦.୦୨%), ମହିଳା ଭୋଟର ୬,୫୯,୨୧୫ (୪୯.୯୭%), ତୃତୀୟ ଲିଙ୍ଗ: ୭୨ (୦.୦୧%) ମୋଟ ଭୋଟର: ୧୩,୧୯,୧୭୬, ଲିଙ୍ଗାନୁପାତ: ୯୯୯, ବରିଷ୍ଠ ନାଗରିକ ଭୋଟର: ୬,୭୯୨ (୦.୫୧%), ଯୁବ ଭୋଟର: ୧୬,୫୬୪ (୧.୨୬%), ଭିନ୍ନକ୍ଷମ ଭୋଟର: ୧୧,୯୯୬ (୦.୯୧%), ବିଧାନସଭା ନିର୍ବାଚନମଣ୍ଡଳୀ ଅନୁଯାୟୀ ଚୂଡ଼ାନ୍ତ ଭୋଟର ସଂଖ୍ୟା ହେଉଛି: ତେଲକୋଇ: ୨,୨୮,୦୪୮, ଘସିପୁରା: ୨,୨୦,୬୧୫, ଆନନ୍ଦପୁର:୨,୨୫,୨୨୫, ପାଟଣା:୨,୦୨,୫୦୯, କେନ୍ଦୁଝର:୨,୧୮,୮୩୭ ଚମ୍ପୁଆ: ୨,୨୩,୯୪୨ ।

         ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସିଂହ ଏସ୍ଆଇଆର୍ ପ୍ରକ୍ରିୟାରେ ସହଯୋଗ, ଅଂଶଗ୍ରହଣ ଏବଂ ସମର୍ଥନ ପାଇଁ କେନ୍ଦୁଝରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭୋଟର, ବିଏଲ୍ଓ, ବିଏଲ୍ଏ, ନିର୍ବାଚନ ଅଧିକାରୀ ଏବଂ ସମସ୍ତ ଅଂଶୀଦାରଙ୍କ ମିଳିତ ପ୍ରୟାସ ଯୋଗୁଁ ଏହି କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ । ସଂଶୋଧନ ପ୍ରକ୍ରିୟା ସମ୍ପର୍କିତ ସୂଚନା ପ୍ରସାରଣ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ ଯେଉଁ ସହଯୋଗ କରିଥିଲା ତାହାର ମଧ୍ୟ ସେ ପ୍ରଶଂସା ଭୂୟସୀ ପ୍ରଶଂସା କରିଥିଲେ।

         ଲୋକ ପ୍ରତିନିଧିତ୍ୱ ଅଧିନିୟମ, ୧୯୫୦ର ଧାରା ୨୪ର ପ୍ରାବଧାନ ଅନୁଯାୟୀ ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯେକୌଣସି ଭୋଟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପରବର୍ତ୍ତୀ କାଳରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅପିଲ୍ କରିପାରିବେ । ସୂଚନାଯୋଗ୍ୟ ଯେ, ସୋମବାର ପୂର୍ବାହ୍ନ ୧୦ ଟାରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *