ଆରମ୍ଭ ହେଲା ବିଘ୍ନବିନାଶକଙ୍କ ପୂଜାତ୍ସୋବ:ଝଲସୁଛି କେନ୍ଦୁଝର

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ସୋମବାର ଠାରୁ ଜିଲ୍ଲାବ୍ୟାପୀ ଧୁମଧାମରେ ଆରମ୍ଭ ହୋଇଛି। ଏଥିପାଇଁ କେନ୍ଦୁଝର ସହର ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି। ଗତ କିଛିବର୍ଷ ଧରି ଗଣେଶ ପୂଜା କେନ୍ଦୁଝର ସହରରେ ଏକ ପ୍ରମୁଖ ପର୍ବ ଭାବେ ପାଳିତ ହୋଇଆସୁଛି।

          ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଅନୁଷ୍ଠାନରେ ପୂଜାମଣ୍ଡପ ଗୁଡ଼ିକୁ ସୁନ୍ଦର ତୋରଣ, ଆକର୍ଷଣୀୟ ପ୍ରତିମୂର୍ତ୍ତି ଓ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି। ଏହାଫଳରେ ସହରର ପରିବେଶ ଉତ୍ସବମୁଖର ହୋଇଉଠିଛି।

      ବସ୍‌ଷ୍ଟାଣ୍ଡ, ବ୍ୟାଙ୍କ, ଡିଏଫ୍‌ଓ କାର୍ଯ୍ୟାଳୟ, ଡେଲି ମାର୍କେଟ, ବଣିଆପାଟ, ଫରେଷ୍ଟ କଲୋନୀ, ମାଇନିଂରୋଡ୍‌, କାଶୀପୁର, ମଣ୍ଡୁଆ, ଆଟୋପୁର, ପୁରୁଣାବଜାର ଓ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଆଦି ସ୍ଥାନ ମାନଙ୍କରେ ଆକର୍ଷଣୀୟ ସାଜସଜ୍ଜା କରାଯାଇଛି।

        ବିଶେଷକରି ବସ୍‌ଷ୍ଟାଣ୍ଡ ନିକଟରେ ଆୟୋଜିତ ସୁସଜ୍ଜିତ ତୋରଣ ଓ ଶ୍ରୀଗଣେଶଙ୍କ ପ୍ରତିମୂର୍ତ୍ତି ଭକ୍ତ ଓ ଦର୍ଶକଙ୍କୁ ଆକୃଷ୍ଟ କରୁଛି। ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ସମେତ ସହର ଉପକଣ୍ଠ ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଗଣେଶ ପୂଜା ଧୁମଧାମରେ ପାଳିତ ହେଉଛି। ସହରରେ ଏହି ପୂଜା ସାଧାରଣତଃ ୭ଦିନ ଧରି ଅନୁଷ୍ଠିତ ହୋଉ ଆସୁଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।

       ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜାମଣ୍ଡପ ନିକଟରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *