ଭିଜିଲାନ୍ସ ଜାଲରେ ଏସଟି-ଏସସି ବିଭାଗର ୨ ଅଡିଟର: ୧୪ ଲକ୍ଷରୁ ଅଧିକ ଟଙ୍କା ଜବତ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ୨ ଜଣ ଅଡିଟର ବାଲେଶ୍ବର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଟକ ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପ୍ରଜ୍ଞା ପ୍ରକାଶ ପାତ୍ର (ପୁରୀ ଜିଲ୍ଲା ବାସିନ୍ଦା) ଏବଂ ପ୍ରଶାନ୍ତ ପ୍ରଧାନ (ଭୁବନେଶ୍ୱର ବାସିନ୍ଦା)। ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ବାବଦକୁ ମୋଟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି।

    ଗୁଇନ୍ଦା ସୂଚନା ଆଧାରରେ ଭିଜିଲାନ୍ସ ଟିମ୍ ଗୁରୁବାର ବିଳମ୍ବିତ ରାତିରେ ଏହି ଚଢ଼ାଉ କରିଥିଲା। ୨ ଅଡିଟର ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟରେ କାମ ସାରି ସରକାରୀ ସ୍କୋର୍ପିଓ ଯୋଗେ ରକ୍ସି ଲେନ୍‌ସ୍ଥିତ ମହାପାତ୍ର ହୋଟେଲକୁ ଫେରୁଥିଲେ। ଭିଜିଲାନ୍ସ ଅଧିକାରୀ ଅଧା ବାଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ସେମାନଙ୍କ କବଜାରୁ ୫୨ଟି ଲଫାପା ତଥା ୨୦ଟି ଖୋଲା ବିଡ଼ାରେ ରଖାଯାଇଥିବା ୫ ଲକ୍ଷ ୫୧ ହଜାର ୫୧୦ ଟଙ୍କା ମିଳିଥିଲା। ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ ସେମାନେ ଦେଇପାରି ନଥିଲେ। ଏହାପରେ ସେମାନେ ରହୁଥିବା ହୋଟେଲ କୋଠରୀରେ ତଲାସି ନିଆଯାଇଥିଲା। ସେଠାରୁ ଆଉ ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ମିଳିବାରୁ ସମୁଦାୟ ୧୪,୩୮,୩୪୦ ଟଙ୍କା ଜବତ କରାଯାଇଛି।

      ଗତ ଅଗଷ୍ଟ ୩୦ ତାରିଖରୁ ଏହି ୨ ଅଡିଟର ବାରିପଦାରେ ରହି ଅଡିଟ୍ କାର୍ଯ୍ୟ ଚଳାଇଥିଲେ। ସେମାନେ ଆଶ୍ରମ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଏସଏସଡି ଛାତ୍ରାବାସର ହିସାବ ଯାଞ୍ଚ କରୁଥିଲେ। ସମସ୍ତ ପ୍ରଧାନଶିକ୍ଷକ ତଥା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ରେକର୍ଡପତ୍ର ଧରି ବାରିପଦା ଡକାଯାଇଥିଲା। ଅଡିଟ୍ ସୁରୁଖୁରୁରେ ସାରିବା ପାଇଁ ପ୍ରତି ନାମଲେଖା ଛାତ୍ରଛାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ଦାବି ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।

    ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବିପୁଳ ପରିମାଣର ଅର୍ଥ କେଉଁଠୁ ଆସିଲା, ସେ ନେଇ ଉଭୟଙ୍କୁ ଅଟକ ରଖି ଜେରା ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସେମାନଙ୍କ ସହ ଜଡ଼ିତ ଅନ୍ୟାନ୍ୟ ଠିକଣାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଲାସି ଜାରି ରହିଛି।

Leave a Reply

Your email address will not be published. Required fields are marked *