ଲାଞ୍ଚୁଆ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ଗିରଫ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଜଣେ ବିଦ୍ୟୁତ ଠିକାଦାରଙ୍କ ଏଜେନ୍ସି ନାମରେ ଶ୍ରମିକ ଲାଇସେନ୍ସ ପ୍ରଦାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦାବି ଓ ଗ୍ରହଣ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ (DLO) ଆକାଶ ବିଶୋଇଙ୍କୁ ଭିଜିଲାନ୍ସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ସୂଚନା ଅନୁସାରେ, ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ବିଦ୍ୟୁତ ସ୍ଥାପନ କାର୍ଯ୍ୟ ପାଇଁ ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା। କାର୍ଯ୍ୟ ପାଇଁ ଶ୍ରମିକ ନିୟୋଜନ ନିମନ୍ତେ ଶ୍ରମ ଲାଇସେନ୍ସ ଆବଶ୍ୟକ ଥିବାରୁ ଠିକାଦାର ନିୟମ ଅନୁସାରେ ୧୪ ଅଗଷ୍ଟ ୨୦୨୬ରେ ଅନଲାଇନ୍‌ ଆବେଦନ କରିଥିଲେ। ପରେ ୧୬ ଅଗଷ୍ଟରେ ଲାଇସେନ୍ସ ସମ୍ପର୍କରେ ପଚାରିବାରୁ ଡିଏଲ୍‌ଓ ଆକାଶ ବିଶୋଇ ଲାଇସେନ୍ସ ପ୍ରଦାନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।

             ଏନେଇ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରବିବାର ସନ୍ଧ୍ୟାରେ ଭିଜିଲାନ୍ସ ଟିମ୍‌ ଜାଲ ବିଛାଇଥିଲା। ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଆକାଶ ବିଶୋଇଙ୍କୁ ଧରାଯାଇଥିଲା। ତାଙ୍କଠାରୁ ସମ୍ପୂର୍ଣ୍ଣ ୨୦ ହଜାର ଟଙ୍କାର ଲାଞ୍ଚ ଅର୍ଥ ଜବତ କରାଯାଇଛି।
.      ଟ୍ରାପ୍‌ ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ (DA) ସମ୍ପର୍କିତ ତଦନ୍ତ ପାଇଁ ଆକାଶ ବିଶୋଇଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି। ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନା କେସ୍‌ ନମ୍ବର ୧୮/୨୦୨୬, ଦୁର୍ନୀତି ନିବାରଣ ଆଇନ (ସଂଶୋଧିତ) ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଡିଏଲ୍‌ଓ ଶ୍ରୀ ବିଶୋଇଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *