କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଆଇରନ୍ କାରଖାନାରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ରବିବାର ରାତିରୁ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି ମୃତକଙ୍କ ପରିବାର ପକ୍ଷରୁ ଧାରଣା ଜାରି ରହିଛି । ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି ।
ମୃତ ଶ୍ରମିକଙ୍କ ପରିବାରକୁ ଅନ୍ଯୁନ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ମୃତକ ହେଲେ କେନ୍ଦୁଆ ଗ୍ରାମର ସୁନାରାମ ମୁଣ୍ଡା । ସୂଚନାଯୋଗ୍ୟ ଯେ, ଉକ୍ତ କାରଖାନାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଉତ୍ତରପ୍ରଦେଶର ଜନୈକ ବ୍ୟକ୍ତି ଚଳିତମାସ ୫ ତାରିଖରେ ମୃତ୍ୟୁବରଣ କରିଥିବା ବେଳେ କାରଖାନା କର୍ତୁପକ୍ଷ ଅତି ଚତୁରତାର ସହ ଘଟଣାକୁ ଚପାଇ ଦେବାରେ ସକ୍ଷମ ହୋଇଥିବା ଜଣାପଡିଛି ।
