ସମସ୍ତ ୧୪ ଆସନରେ ଜିତିଲେ ବିଜେଡି ପ୍ରାର୍ଥୀ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବାଜିମାତ କରିଛନ୍ତି। ସମସ୍ତ ୧୪ଟି ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିପୁଳ ବିଜୟୀ ହୋଇଛନ୍ତି । ଜିଲ୍ଲା ଯୋଜନା ବୋର୍ଡରେ ସଦସ୍ୟ ନିମନ୍ତେ ନାମାଙ୍କନ ପରେ ଜୁଲାଇ ୮ ତାରିଖରେ ଯାଞ୍ଚ ହୋଇ ପ୍ରଥମ ଦଫାରେ ବିଜେଡିର ସମସ୍ତ ୭ଜଣ ସାଧାରଣବର୍ଗର ପ୍ରାର୍ଥୀ ୨ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ଜିତେନ୍ଦ୍ର ସାମଲ, ୫ନଂ ଜୋନ ସଦସ୍ୟ ରଥ ମୁଣ୍ଡା, ୯ ନଂ ଜୋନ ସଦସ୍ୟ ସୁରେନ୍ଦ୍ର ଜେନା, ୨୦ନଂ ଜୋନ ସଦସ୍ୟ କେଦାର ଚନ୍ଦ୍ର ପ୍ରଧାନ, ୨୬ନଂ ଜୋନ ସଦସ୍ୟ ଶଶୀକାନ୍ତ ଖିଲାର, ୨୯ନଂ ଜୋନ ସଦସ୍ୟ ବୁଦ୍ଧଦେବ ମହାକୁଡ଼ ଏବଂ ୩୭ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ପ୍ରମୁଖ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିଲେ।
ଜୁଲାଇ ୨୧ତାରିଖ ମଙ୍ଗଳବାର ମହିଳାବର୍ଗର ୭ଟି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପିର ୧ନଂ ଜିଲ୍ଲାପରିଷଦ ସଦସ୍ୟା ଅସୀମା ମିଶ୍ର ପରାଜିତ ହୋଇଥିବାବେଳେ ବିଜେଡିର କୌଶଲ୍ୟା ସେଠୀ, କ୍ଷୀରୋଦିନୀ ମହାକୁଡ଼, ମଧୁସ୍ମିତା ଦାସ , ମଇନ ସୋରେନ, ରମଣୀ ନାୟକ, ରୁନୁ ମହାନ୍ତ, ଏବଂ ଶାନ୍ତିଲତା ରଣା ବିଜେଡିର ୭ଜଣ ପ୍ରାର୍ଥୀନୀ ବିଜୟୀ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାପରିଷଦର ୩୭ଟି ଜୋନ ରହିଛି । ସେଥିମଧ୍ୟରୁ ସଦର ବ୍ଲକର ୪ନଂ ଜୋନ ସଦସ୍ୟା ଲୀଳାବତୀ ମହାନ୍ତ ଓ ପାଟଣା ବ୍ଲକର ୨୧ନଂ ଜୋନ ସଦସ୍ୟ ପ୍ରଫୁଲ୍ଲ ନାୟକଙ୍କ ମୃତ୍ୟୁ ଯୋଗୁଁ ଏବଂ ଘଟଗାଁ ବ୍ଲକ ୮ନଂ ଜୋନର ସଦସ୍ୟ ରଞ୍ଜିତ ନାୟକ ତାଙ୍କ ପଦବୀରୁ ଇସ୍ଥଫା ଦେଇଥିବାରୁ ବର୍ତ୍ତମାନ ୩୪ଜଣ ଜିଲ୍ଲାପରିଷଦ ସଦସ୍ୟ /ସଦସ୍ୟା ରହିଛନ୍ତି। ଜିଲ୍ଲା ଯୋଜନା ବୋର୍ଡରେ ବିଜେଡିର ସମସ୍ତ ୧୪ଟି ଆସନରେ ବିଜୟୀ ପ୍ରାର୍ଥୀମାନଙ୍କୁ ବିଜେଡିର କେନ୍ଦୁଝର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତି, ବିଜେଡି ନେତା ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ବିଜେଡି ନେତ୍ରୀ ତଥା ପୂର୍ବତନ ପୌରାଧକ୍ଷା ମୀନା ମାଝୀ, ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ସାହୁ, ବିଜେଡି ଆଇଟି ସେଲ ଜଗଦୀଶ ଆପଟ୍ଟଙ୍କ ସମେତ ବହୁ ବିଜେଡି ନେତା ଜିଲ୍ଲାପରିଷଦ କାର୍ଯ୍ୟାଳୟକୁ ଯାଇ ଶୁଭେଚ୍ଛା ଜଣାଇଥିଲେ।
