କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଚୋରି ଘଟଣାକୁ ନେଇ କଂଗ୍ରେସ ସାଂସଦ କେ.ସି ବେଣୁଗୋପାଳ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ସେ ଏହି ଚୋରି ଘଟଣାର ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ କରାଇବାକୁ ଦାବି କରିଛନ୍ତି। ଏହି ଚୋରି ଘଟଣାକୁ ସେ ‘ଚାନ୍ଦା ଚୋରି ମେଗା ଘୋଟାଲା’ ବୋଲି କହିଛନ୍ତି।

ବେଣୁଗୋପାଳ କହିଛନ୍ତି ଯେ, ଚୋରିରେ ଶହଶହ କୋଟି ଟଙ୍କା ହେରଫେର ହୋଇଛି। ଏହାଦ୍ବାରା ହିନ୍ଦୁମାନଙ୍କ ବିଶ୍ବାସ, ଧର୍ମ ଓ ଜୀବନଶୈଳୀ ପ୍ରତି ବିଶ୍ବାସଘାତକ କରାଯାଇଛି। ଦାନ ଅର୍ଥ ଚୋରି ଘଟଣାର ଉତ୍ତରପ୍ରଦେଶ ସରକାର ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ତଦନ୍ତ କରୁଥିବାବେଳେ ଏହାର ନିରପେକ୍ଷତା ଉପରେ ବେଣୁଗୋପାଳ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏହି ତଦନ୍ତ ପ୍ରକ୍ରିୟା ଲୋକ ଦେଖାଣିଆ। ତେଣୁ ବାସ୍ତବ ସତ୍ୟ ଉନ୍ମୋଚନ ନିମନ୍ତେ ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ସମଗ୍ର ଘଟଣାର ତଦନ୍ତ ହେବା ଦରକାର ।

