କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଦୀର୍ଘ ମାସେବ୍ୟାପୀ ସଂଯମର ପର୍ବ ରମଜାନକୁ ସଫଳତାର ସହିତ ସମାପନ କରି ଶୁକ୍ରବାର ସନ୍ଧ୍ୟାରେ ଆକାଶରେ ଇଦର ଚାନ୍ଦ ଦର୍ଶନ ପରେ ଶନିବାର ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀ ମାନେ ଇଦୁଲଫିଚର ହର୍ଷଉଲ୍ଲାସର ସହିତ ପାଳନ କରିଥିଲେ । ନୂତନ ବସ୍ତ୍ର ପରିଧାନ ପୂର୍ବକ ନିକଟସ୍ଥ ମସଜିଦ ମାନଙ୍କରେ ଏକତ୍ରିତ ହୋଇ ଇଦର ଓ୍ୱାଜିବ ନମାଜ ପାଠ ସହ ଆଲ୍ଲାଙ୍କ ନିକଟରେ ସୁଖ, ଶାନ୍ତି ଓ ମୈତ୍ରୀର କାମନା କରିଥିଲେ ।
ନମାଜ ପୂର୍ବରୁ ଗରିବ ଅସହାୟଙ୍କ ମୁହଁରେ ହର୍ଷ ଉଲ୍ଲାସ ଫୁଟାଇବା ପାଇଁ ଇସଲାମିକ ନିୟମ ମୁତାବକ ଜକାଚ ଦେଇଥିଲେ । ଯଦ୍ୱାରା କି ଗରିବ ଲୋକଟି ମଧ୍ୟ ଖୁସି ମନାଇପାରିବ । କେନ୍ଦୁଝର ପୁରୁଣାସହର ଜୁମ୍ମା ମସଜିଦରେ ଇମାମ ଇର୍ସାଦ ଫଇଜି ରମଜାନ ଓ ଇଦର ମାହାତ୍ମ୍ୟ ସମ୍ପର୍କରେ ଖୁଡବା ଦେଇ ବିଶ୍ଵ ଶାନ୍ତି, ମୈତ୍ରୀ ଓ ସୌହାତ୍ମ୍ୟରେ ଇସଲାମର ଭୂମିକା ଓ ଅବଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।
ନମାଜ ପାଠ ପରେ ପରସ୍ପର ମଧ୍ୟରେ ଲଚ୍ଛା ଓ ସିମେଇ ଖୁଆଇବା ସହ ଇଦ୍ ମୁବାରକ ଜଣାଇଥିଲେ । ଜିଲାର ସମସ୍ତ ମସଜିଦ ମାନଙ୍କରେ ଶାନ୍ତି ଶୃଙ୍ଖଳାର ସହିତ ଇଦ ନମାଜ ସମ୍ପନ୍ନ ହୋଇଥିବା ବେଳେ ଆରକ୍ଷୀ ବାହିନୀ ପକ୍ଷରୁ ସମସ୍ତ ସ୍ଥାନରେ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ଫୋର୍ସ ମୁତୟନ ଥିଲେ ।
