ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତି:୩ କୋଟି ଆତ୍ମସାତ୍,୩ ଗିରଫ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁର ଜିଲାରେ ଏଲଇଡି ଷ୍ଟ୍ରିଟ ଲାଇଟ ଲଗାଇବା ନାମରେ ହୋଇଥିବା ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ୩ ଠିକାଦାରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତ ହେଲେ ମୟୂରଭଞ୍ଜ ଜିଲା ବାରିପଦାର ମେସର୍ସ ଟ୍ରାନ୍ସପାୱାର ପ୍ରୋପ୍ରାଇଟର ଗିରିଜା ଶଙ୍କର ଦାଶ, ଯାଜପୁର ଟାଉନ୍‌ର ମେସର୍ସ ବିରଜା ଇଲେକ୍ଟ୍ରିକାଲ ଆଣ୍ଡ କନଷ୍ଟ୍ରକସନ୍ସ ପ୍ରୋପ୍ରାଇଟର ଧରଣୀଧର ସାହୁ ଓ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଜୟଦେବ ବାଟିକା ନିକଟରେ ଥିବା ମେସର୍ସ ଯୋଗମାୟା ଟ୍ରେଡର୍ସର ପ୍ରୋପ୍ରାଇଟର ବିଭୂତି ରଞ୍ଜନ ବିଶ୍ୱାଳ। ଏହି ୩ ଅଭିଯୁକ୍ତଙ୍କୁ ଗିରଫ ପରେ ଭିଜିଲାନ୍ସ ଅଦାଲତ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

        ପ୍ରାଥମିକ ତଦନ୍ତ ଅନୁଯାୟୀ, ୨୦୨୧ ରୁ ୨୦୨୩ ମଧ୍ୟରେ ଉପରୋକ୍ତ ୩ ଜିଲାରେ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ପ୍ରକଳ୍ପରେ ପ୍ରାୟ ୩ କୋଟି ଟଙ୍କାର ଆତ୍ମସାତ୍ ହୋଇଥିବା ଜଣାପଡ଼ିଛି। ଏହି କାମ ଗୁଡ଼ିକ ପଞ୍ଚମ ରାଜ୍ୟ ଅର୍ଥ କମିସନଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନରୁ କରାଯାଇଥିଲା। ଉକ୍ତ ୩ ଜିଲାରେ ପ୍ରାୟ ୧୦୦୦ କ୍ଲଷ୍ଟର (ପ୍ରତି କ୍ଲଷ୍ଟରରେ ୧୦ଟି ଏଲ୍ଇଡି ଲାଇଟ୍) ସ୍ଥାପନ କରାଯାଇଥିଲା। ଏହି ସମସ୍ତ କ୍ଲଷ୍ଟରଗୁଡ଼ିକୁ ବିଶେଷଜ୍ଞଙ୍କ ଦ୍ୱାରା ବୈଷୟିକ ପରୀକ୍ଷା କରାଯାଉଛି। ପ୍ରତ୍ୟେକ କ୍ଲଷ୍ଟରରେ କେତେ ପରିମାଣରେ ଅର୍ଥ ଆତ୍ମସାତ୍ ଓ କାର୍ଯ୍ୟରେ ଅବହେଳା ହୋଇଛି, ତାହାର ପ୍ରମାଣ ଯୋଗାଡ଼ କରୁଛି ତଦନ୍ତକାରୀ ଦଳ।

     ଭିଜିଲାନ୍ସ ବିଭାଗ ଏହି ମାମଲାରେ କେବଳ ଠିକାଦାର ନୁହନ୍ତି ବରଂ ଏହି ଟଙ୍କା ବଣ୍ଟନ ପ୍ରକ୍ରିୟାରେ କେଉଁ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ରହିଛି ତାହା ମଧ୍ୟ ଯାଞ୍ଚ କରୁଛି। ଏଥିପାଇଁ ସମ୍ପୃକ୍ତ ସମସ୍ତ ଫାଇଲ୍‌କୁ ଜବତ କରାଯାଇଛି। ଟେଣ୍ଡର ନିୟମାବଳୀର ଘୋର ଉଲ୍ଲଙ୍ଘନ କରାଯାଇଥିବା ତଦନ୍ତରୁ ଭିଜିଲାନ୍ସ ଜାଣିବାକୁ ପାଇଛି। ପ୍ରତ୍ୟେକ ୧୦ଟି ଏଲ୍ଇଡି ଲାଇଟ୍‌ର କ୍ଲଷ୍ଟର ପାଇଁ ଆବଶ୍ୟକୀୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ (ଏନର୍ଜି ମିଟର, ୫୦୦ ମିଟର କେବୁଲ, ଏମ୍‌ସିସିବି, ଆଇ ହୁକ୍, ସସ୍‌ପେନ୍‌ସନ୍‌ କ୍ଲାମ୍ପ, ଡେଡ୍ ଏଣ୍ଡ କ୍ଲାମ୍ପ ଏବଂ ଫଟୋ ସୁଇଚ୍ ଟାଇମର) ଆଦି ସ୍ଥାପନ କରାଯାଇ ନାହିଁ। ସବୁ ସାମଗ୍ରୀ ଲାଗିଥିବା ଦର୍ଶାଇ କାଗଜପତ୍ରରେ ମିଥ୍ୟା ବିଲ୍ ଦାଖଲ କରାଯାଇ ସରକାରୀ ପାଣ୍ଠି ଆତ୍ମସାତ୍ କରାଯାଇଥିବା ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଛି। ଆଗାମୀ ଦିନରେ ଗିରଫ ସଂଖ୍ୟା ବଢ଼ିବ ବୋଲି ଜଣାପଡ଼ିଛି।

        ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ଉକ୍ତ ତିନି ଜିଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ନାଁରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ମୋଟ ୨୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଟିମ୍‌ରେ ଅତିରିକ୍ତ ଏସ୍.ପି, ଡିଏସ୍‌ପି, ଇନ୍ସପେକ୍ଟର ସାମିଲ ଅଛନ୍ତି। ପ୍ରତ୍ୟେକ ଜିଲାରେ ୨୭ ଜଣ ଲେଖାଏଁ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। କେନ୍ଦୁଝର, ନୟାଗଡ଼ ଓ ଯାଜପୁରର ମୋଟ ୫୦ଟି ସ୍ଥାନରେ ଭିଜିଲାନ୍ସର ବୈଷୟିକ ଦଳ ପକ୍ଷରୁ ଚଢ଼ଉ କରାଯାଇଥିଲା। ୬ରୁ ଅଧିକ ଠିକାଦାରଙ୍କୁ ଭିଜିଲାନ୍ସ ଅଟକ ରଖି ପଚରାଉଚରା କରିଥିଲା। ତଥ୍ୟ ପ୍ରମାଣକୁ ଆଧାର କରି ଉପରୋକ୍ତ ୩ ଠିକାଦାରଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିଛି ।

Leave a Reply

Your email address will not be published. Required fields are marked *