କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଘସିପୁରା ଥାନା ଅନ୍ତର୍ଗତ ଓସ୍ତପୁରା ଅଞ୍ଚଳରେ ଚାଲିଥିବା ବେଆଇନ କ୍ରସର୍ କାରବାର ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଏହି ବେଆଇନ କାରବାରର ମୁଖ୍ୟ କିଙ୍ଗପିନ୍ ନିରଞ୍ଜନ ସାହୁଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ଘସିପୁରା ପୋଲିସ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ କେତେକ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଓସ୍ତପୁରା କ୍ରସର୍ରେ ଦୀର୍ଘ ଦିନ ହେବ ବେଆଇନ କାର୍ଯ୍ୟକଳାପ ଓ ଅନିୟମିତତା ନେଇ ଅଭିଯୋଗ ହୋଇଆସୁଥିଲା। ଏହି ଆଧାରରେ ଚଳିତମାସ ୨୩ ତାରିଖ କନ୍ତୋସ୍ଥିତ ପିଚୁ ପ୍ଲାଣ୍ଟ ଏବଂ ଓସ୍ତପୁରା କ୍ରସର୍ ଉପରେ କେନ୍ଦୁଝର ଖଣି ବିଭାଗ ଓ ଘସିପୁରା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ।
ଏହି ଘଟଣାରେ ଘସିପୁରା ପୋଲିସ କେସ୍ ନଂ ୪୨୭/୨୬, ସେକ୍ସନ ୩୦୩(୨) BNS ଏବଂ MMDR ଆକ୍ଟର-୨୧(୨) ଅଧୀନରେ ମାମଲା ରୁଜୁ କରିଥିଲା। ପୂର୍ବରୁ କ୍ରସରର ୪ ଜଣ କର୍ମଚାରୀ ଓ ୩ଜଣ ଗାଡ଼ି ମାଲିକଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଶ୍ରୀଧର ସାହୁ (୩୦) ଉଜ୍ଜୁଣୀ, ରାମଚନ୍ଦ୍ରପୁର, ଅଭିଷେକ ପ୍ରଧାନ (୨୫) କୁସୁମା, ଖଇରା (ବାଲେଶ୍ୱର), ରାଜେଶ କୁମାର ସେନାପତି (୩୪) ଭୋଗ ଶାଳଦା, ନିମାପଡ଼ା (ପୁରୀ), ମାନସ କୁମାର ସେଠୀ (୪୪) ଶୈଲଙ୍ଗ, ଘସିପୁରା, ସିପୁନ ସାହୁ (୩୮) ଘସିପୁରା, ମନ୍ମଥ ଜେନା (୨୮) ଖାଳିଆମେଣ୍ଟା ଘସିପୁରା ଓ ସୁବ୍ରତ ଭୂଷଣ ଜେନା (୩୮) ଖାଳିଆମେଣ୍ଟା ଘସିପୁରା ।

ରବିବାର ଘସିପୁରା ପୋଲିସର ଏକ ସ୍ୱେଶାଲ୍ ଟିମ୍ ଭୁବନେଶ୍ୱରରୁ କ୍ରସର କାରବାରର ମୁଖ୍ୟ ନିରଞ୍ଜନ ସାହୁଙ୍କୁ କାବୁ କରିଥିଲା। ତାଙ୍କୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏହି ବେଆଇନ କ୍ରସର୍ ରାକେଟ୍ରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଘସିପୁରା ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି।
