କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଭୁବନେଶ୍ୱରରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ସଂସ୍ଥାନର ପ୍ରତିଷ୍ଠା ପୂର୍ବ ଭାରତ ବିକାଶର ଏକ ନିଦର୍ଶନ । ଓଡ଼ିଶା ଆଗାମୀ ଦିନରେ ‘ମାଇଣ୍ଡ୍’ରୁ ‘ମାଇକ୍ରୋ ଚିପ୍’ ପର୍ଯ୍ୟନ୍ତ ପ୍ରସ୍ତୁତ କରି ଏକ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛି । ଓଡ଼ିଶାର ଯୁବଗୋଷ୍ଠୀ ଯେଉଁ ବଡ଼ ସ୍ୱପ୍ନ ଦେଖିଛନ୍ତି, ତାହା ନିଶ୍ଚିତ ପୂରଣ ହେବ ।’ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ରବିବାର ଖୋର୍ଦ୍ଧା ଇନଫୋ ଭ୍ୟାଲିସ୍ଥିତ ଆର୍ବିଆଇର ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ସଂସ୍ଥାନକୁ ଲୋକାର୍ପଣ କରି ପ୍ରଧାନମନ୍ତ୍ରୀ କହିଥିଲେ, ଭାରତରେ ଗଭର୍ଣ୍ଣାନ୍ସର ଆଭିମୁଖ୍ୟ ବଦଳିଛି । ବିକାଶର ଲାଭ ଏବେ ଭାରତର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚୁଛି । ଦିନ ଥିଲା ଯେତେବେଳେ ବିକାଶ କହିଲେ କେବଳ କିଛି ବଡ଼ ସହରକୁ ହିଁ ବୁଝାଉଥିଲା । କିନ୍ତୁ ୨୦୧୪ ପରେ ସରକାରଙ୍କ ଅଭିମୁଖ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି । ସରକାର ଏବେ ‘ନାଗରିକ ଦେବୋ ଭବଃ’ ନୀତି ଅବଲମ୍ବନ କରୁଛନ୍ତି ।

Advertisement
କଂଗ୍ରେସର ସିଧାସଳଖ ନାଁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ୨୦୧୪ ପୂର୍ବରୁ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା ଭିନ୍ନ ଥିଲା । ଏକ ନିର୍ଦ୍ଦିଷ୍ଟ ପରିବାର ଲୋକେ ଫୋନ୍ କଲେ, ତାଙ୍କ ପାଖକୁ ବ୍ୟାଙ୍କ ବାଲା କୋଟି କୋଟି ଟଙ୍କା ଋଣ ଯୋଗାଇ ଦେଉଥିଲେ । କିନ୍ତୁ ଗରିବମାନଙ୍କୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଗ୍ୟାରେଣ୍ଟର ଦେବାକୁ ପଡୁଥିଲା । ତେବେ ୨୦୧୪ ପରେ ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି । ଡିଜିଟାଲ ବ୍ୟାଙ୍କିଂ ଜରିଆରେ ଭାରତର ସବୁ ନାଗରିକଙ୍କ ପାଖରେ ଏବେ ବ୍ୟାକିଂ ବ୍ୟବସ୍ଥା ପହଞ୍ଚିଛି ।
ବର୍ତ୍ତମାନ ଦେଶରେ ୪୯ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଛି । ମୁଦ୍ରା ଯୋଜନାରେ ୧୩ କୋଟି ଲୋକ ଉଦ୍ୟୋଗପତି ପାଲଟିଥିବା ବେଳେ ୧୦ କୋଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ କୋଟି କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି । ଦେଶର ୯ କୋଟି ଲୋକଙ୍କୁ ଅଟଳ ପେନସନ ଯୋଜନା ଯୋଗାଇ ଦିଆଯାଉଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାର ୩୮ ଲକ୍ଷ ଲୋକ ସାମିଲ । ଦେଶ ଉପରେ ହେଉଥିବା ଆର୍ଥିକ ଓ ସାଇବର ଆକ୍ରମଣ ସମ୍ପର୍କରେ ମତ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ, ଏବେ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ ଲଢାଯାଉ ନାହିଁ, ଦେଶକୁ ଆର୍ଥିକ ଦୁର୍ବଳ କରି, ସାଇବର ଆଟାକ କରି ଦେଶ ସହ ଯୁଦ୍ଧ ଲଢାଯାଉଛି । ଓଡ଼ିଶାରେ ରିଜର୍ଭ ବ୍ୟାଙ୍କର ଏହି ଡାଟା ସେଣ୍ଟର ଓ ସାଇବର ସୁରକ୍ଷା ପ୍ରତିଷ୍ଠାନ ଆଗାମୀ ଦିନରେ ଦେଶ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନମନ୍ତ୍ରୀ ଅପରାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବା ପରେ ସ୍ୱତନ୍ତ୍ର ବାୟୁସେନା ହେଲିକେପ୍ଟରରେ ଖୋର୍ଦ୍ଧା ଇନଫୋ ଭ୍ୟାଲି ଯାଇଥିଲେ । ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
