କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ‘ଭାରତର ଗରିମା, ଅଖଣ୍ଡତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ସାଂସ୍କୃତିକ ବିବିଧତାକୁ ଯେଉଁମାନେ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦେଶବାସୀ ଏକାଠି ହୁଅନ୍ତୁ । ଯେଉଁ ତତ୍ତ୍ୱଗୁଡିକ ଦେଶର ସମ୍ମାନ ଉପରେ ଆଞ୍ଚ ଆଣିବାକୁ ଚାହୁଁଛନ୍ତି ଏବଂ ଭାରତୀୟ ସାଂସ୍କୃତିକ ଏକତା ମଧ୍ୟରେ ଘୃଣା ଓ ଭେଦଭାବ ସୃଷ୍ଟି କରିବାକୁ ଚାହୁଁଛନ୍ତି, ସେମାନେ ହିଁ ଭାରତ ମାତାର ପ୍ରକୃତ ଶତ୍ରୁ ।’ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମଙ୍ଗଳବାର ବିଜୟା ଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର ଶତ୍ରୁମାନଙ୍କ ବିରୁଦ୍ଧରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବାକୁ ଆମ ଶାସ୍ତ୍ର ଆମକୁ ଶିକ୍ଷା ଦେଇଛି । ମା’ ଭାରତୀର ଯେଉଁମାନେ ଶତ୍ରୁ, ସେମାନଙ୍କ ବିରୁଦ୍ଧରେ ଦେଶବାସୀ ଏକାଠି ହେବାର ବେଳ ଆସିଯାଇଛି । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ବିଜୟାଦଶମୀ ପାଳିତ ହୋଇଥାଏ ।
ଦେଶର ପ୍ରତ୍ୟେକ କୋଣରେ ଆଜି ପ୍ରଭୁ ଶ୍ରୀରାମଙ୍କ ଗୁଣଗାନ ସମ୍ବଳିତ ରାମଲୀଳା ପରିବେଷଣ କରାଯାଉଛି । ପ୍ରଭୁ ଶ୍ରୀରାମ ତାଙ୍କ ଜୀବନରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ସତ୍ୟ ଓ ରାଜଧର୍ମରୁ କେବେବି ବିରତ ହୋଇନାହାନ୍ତି । ରାମଲୀଳା ପରିବେଷଣ ଦ୍ୱାରା ରାମଙ୍କ ସନ୍ଦେଶ ଆଜି ବି ଘରେ ଘରେ ଉଜ୍ଜୀବିତ ରହିଛି ବୋଲି ମୋଦୀ କହିଥିଲେ । ଦେଶରେ ବିଭାଜନ ଚିନ୍ତାଧାରା ଏବଂ ସାଂସ୍କୃତିକ ଅସହିଷ୍ଣୁତା ସିଧାସଳଖ ଦେଶର ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି କରିଛି । ଏହି ଶତ୍ରୁମାନଙ୍କୁ ଖୋଜି ବାହାର କରି ସେମାନଙ୍କ ବିରୁଦ୍ଧରେ ଏକାଠି ଶକ୍ତି ପ୍ରଦର୍ଶନ କରିବା ନାଗରିକ ମାନଙ୍କର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱନ ଦେଇଛନ୍ତି ।
