ଦେବାଶିଷ ବିଜେପି ରାଜ୍ୟସଭା ପ୍ରାର୍ଥୀ

କେନ୍ଦୁଝର ସାଉନ (ଜ୍ଞାନରଞ୍ଜନ ମିଶ୍ର): ରାଜ୍ୟସଭା ନିର୍ବାଚନକୁ ନେଇ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଦେବାଶିଷଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦେବାଶିଷ ବିଜେଡି ଛାଡ଼ିବା ସହିତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲିପଡିଥିଲା।

     ୨୦୨୪ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦେବାଶିଷ ସାମନ୍ତରାୟ। ତାଙ୍କ କାର୍ଯ୍ୟକାଳ ୨୦୩୦ ଏପ୍ରିଲ ୩ ତାରିଖରେ ଶେଷ ହୋଇଥା’ନ୍ତା। ତା’ ପୂର୍ବରୁ ୨୫ ମେ ୨୦୨୬ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଦେବାଶିଷ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ମେ’ ୨୫ରେ ସେ ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ିଥିଲେ। ମେ’ ୨୬ରେ ସେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ବିଜେପି ତାଙ୍କୁ ଏହି ଉପନିର୍ବାଚନରେ ପ୍ରାର୍ଥୀ କରି ରାଜ୍ୟସଭାକୁ ପଠାଇବା ଅଧିକ ସମ୍ଭାବନା ରହିଥିଲା। ଦେବାଶିଷ ସାମନ୍ତରାୟ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

      ୨୦୦୦ରେ ବିଜେଡି ଟିକେଟରେ ତିର୍ତ୍ତୋଲ ଆସନରୁ ପ୍ରଥମେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୯ ଓ ୨୦୧୪ରେ ସେ ବିଜେଡି ଟିକେଟରେ ବାରବାଟୀ-କଟକ ଆସନରୁ ବିଧାନସଭାକୁ ଯାଇଥିଲେ। ୨୦୧୯ରେ ସେ ଏହି ଆସନରେ ମହମ୍ମଦ ମୋକିମଙ୍କଠାରୁ ପରାସ୍ତ ହୋଇଥିଲେ।

    ରାଜ୍ୟସଭା ଉପନିର୍ବାଚନ ଜୁନ୍ ୮ ହେଉଛି ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ। ଜୁନ୍ ୯ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଜୁନ୍ ୧୧।

Leave a Reply

Your email address will not be published. Required fields are marked *