ହାଇକୋର୍ଟ ଯିବେ ବିଜୟ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ତାମିଲନାଡୁରେ ନୂତନ ସରକାର ଗଠନ ପ୍ରସଙ୍ଗ ସମ୍ପୂର୍ଣ୍ଣ ଜଟିଳ ହୋଇପଡ଼ିଛି। ସରକାର ଗଠନ ନେଇ ସସପେନ୍ସ ଜାରି ରହିଛି। ଆଜି ପୁଣିଥରେ ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ବିଜୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କ ସହ ଏହା ହେଉଛି ବିଜୟଙ୍କ ଦ୍ବିତୀୟ ସାକ୍ଷାତ। ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ କହିଥିବା ସୂଚନା ମିଳିଛି।

     ୧୧୮ ବିଧାୟକଙ୍କ ଦସ୍ତଖତ ସହ ଆସିବାକୁ କହିଛନ୍ତି ରାଜ୍ୟପାଳ। ସେପଟେ ବିଧାନସଭା ନିର୍ବାଚନରେ ସର୍ବାଧିକ ବିଜୟ ହାସଲ କରିଥିବା ଅଭିନେତା ବିଜୟଙ୍କ ଦଳ ଟିଭିକେ ସରକାର ଗଠନ ପାଇଁ ମ୍ୟାଜିକ୍‌ ସଂଖ୍ୟା ହାସଲ କରିପାରି ନାହିଁ। ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ୧୦୮ ଆସନ ହାସଲ କରିଛି ବିଜୟଙ୍କ ଦଳ ଟିଭିକେ। ତଥାପି, ସରକାର ଗଠନ ପାଇଁ ୧୧୮ ମ୍ୟାଜିକ୍‌ ସଂଖ୍ୟା ଆବଶ୍ୟକ। ୫ ଜଣ କଂଗ୍ରେସ ବିଧାୟକଙ୍କ ସମର୍ଥନ ସତ୍ତ୍ୱେ, ଏହା ବହୁମତ ଅଙ୍କ ଛୁଇଁ ପାରୁନାହିଁ। ଫଳସ୍ବରୂପ, ରାଜ୍ୟପାଳଙ୍କ ନିକଟରେ ଦାବି କରିବା ସତ୍ତ୍ୱେ ବିଜୟଙ୍କୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରାଯାଇ ନାହିଁ। ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ରାଜ୍ୟପାଳ ତାଙ୍କୁ ପ୍ରଥମେ ଆବଶ୍ୟକୀୟ ସଂଖ୍ୟା ଦେଖାଇବାକୁ କହିଥିଲେ।

      ତାମିଲନାଡୁରେ ନୂତନ ସରକାର ଗଠନ ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ଟିଭିକେ ନେତା ଥଲାପଥି ବିଜୟ ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟପାଳଙ୍କୁ ଭେଟିଛନ୍ତି। ସେ ପ୍ରଥମେ ବୁଧବାର ରାଜ୍ୟପାଳଙ୍କୁ ଭେଟିଥିଲେ। ବୁଧବାରର ବୈଠକ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି ଯେ, ରାଜ୍ୟପାଳ ତାଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ତାଲିକା ଅନୁରୋଧ କରିଥିଲେ।

     ଅନ୍ୟପଟେ ତାମିଲନାଡୁରେ ବିଜେପି ତାର ଖେଳ ଆରମ୍ଭ କରିଛି। ଟିଭିକେ ଏବଂ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟକୁ ରୋକିବା ପାଇଁ ବିଜେପି ଏଆଇଏଡିଏମକେ ଉପରେ ଏକ ମେଣ୍ଟ ଗଠନ କରିବାକୁ ଚାପ ପକାଉଛି। ଯଦି ବିଜେପିର ଚାପ କାମ କରେ, ତେବେ ଏଆଇଏଡିଏମକେ ବିଭାଜିତ ହେବାର ସମ୍ଭାବନା ଅଛି ଏବଂ ଗୋଟିଏ ଗୋଷ୍ଠୀ ବିଜୟଙ୍କ ପକ୍ଷରେ ରହିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବିଜୟ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *