ବ୍ୟାଙ୍କକୁ ଶବ ନେବା ଘଟଣାର ଆରଡିସି ତଦନ୍ତ ଆରମ୍ଭ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଟଙ୍କା ଉଠାଣ ପାଇଁ ବ୍ୟାଙ୍କକୁ ବଡ ଭଉଣୀର ଶବ ନେବା ଘଟଣାରେ ଗୁରୁବାର ଆରଡିସି ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପଶି ବ୍ୟାଙ୍କରୁ ଟଙ୍କା ପାଇବା ପାଇଁ ମଶାଣିରୁ ଭଉଣୀର କଙ୍କାଳ ନେବା ଘଟଣାରେ ଘଟଣାସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଛନ୍ତି ଆରଡିସି ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ।

     ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା(୫୦)ଙ୍କ ବଡ ଭଉଣୀ କାଲରା ମୁଣ୍ଡା (୫୬)ଙ୍କ ଗତ ଜାନୁଆରୀ ୨୬ ତାରିଖରେ ପେଟ ରୋଗ କାରଣରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ବଳଦ ବିକ୍ରି ପାଖାପାଖି ୨୦ ହଜାର ଟଙ୍କା ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ଥିଲା। ଏହି ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦୌଡି ନିରାଶ ହୋଇଥିଲେ। ଶେଷରେ ବ୍ୟାଙ୍କ ପରିଚାଳକ ତାଙ୍କୁ ଭଉଣୀକୁ ନେଇକି ଆସ ଟଙ୍କା ଦେବି କହିବାରୁ ଜିତୁ ମୁଣ୍ଡା ଭଉଣୀର ୩ ମାସର କଙ୍କାଳ ସାର ଶବକୁ କବରରୁ ବାହାର କରି ଏକ ବସ୍ତାରେ ପୁରାଇ ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ଆଣି ବାରଣ୍ଡାରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଣମାଧ୍ଯମରେ ପ୍ରକାଶ ପାଇବା ପରେ ଏହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଫଳରେ ପ୍ରଶାସନର ନିଦ ଭାଙ୍ଗିବା ନ୍ୟାୟରେ ଜିତୁ ମୁଣ୍ଡାଙ୍କୁ ତୁରନ୍ତ ଭଉଣୀର ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ସହ ବ୍ୟାଙ୍କରେ ଜମା ଥିବା ମୃତ ଭଉଣୀର ଟଙ୍କାକୁ ସୁଧ ସହ ପଇଠ କରିଥିଲେ । ଏଥିସହ ପ୍ରଶାସନ ପକ୍ଷରୁ ଜିତୁ ମୁଣ୍ଡାଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଆର୍ଥୀକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି । ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜଣେ ନୀରିହ ଆଦିବାସୀ ଯେଭଳି ଭାବରେ ପ୍ରାପ୍ୟ ପାଇବା ପାଇଁ ଭଉଣୀର ମରଶରୀରକୁ କାନ୍ଧେଇ ୩ କି.ମି. ଦୂର ବ୍ୟାଙ୍କରେ ପହଞ୍ଚିବା ଏବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡା କରିଛି ।

Leave a Reply

Your email address will not be published. Required fields are marked *