ମହିଳା ସଂରକ୍ଷଣ ବିଲ୍ କାଟ୍ ପ୍ରସଙ୍ଗରେ କେନ୍ଦୁଝରରେ ଜନ ଆକ୍ରୋଶ ମହିଳା ସମାବେଶ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମହିଳା ସଂରକ୍ଷଣ ବିଲ୍ ସଂସଦରେ କାଟ୍ ଖାଇବା ପ୍ରସଙ୍ଗରେ ସୋମବାର କେନ୍ଦୁଝରରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଏହି ଜନ ଆକ୍ରୋଶ ମହିଳା ସମାବେଶ ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ କହିଛନ୍ତି ମହିଳା ମାନଙ୍କ ପାଇଁ ଏହି ଲଢ଼େଇ ଜାରି ରହିବ।

      ଶତାଧିକ ମହିଳା ଏହି ପଦଯାତ୍ରାରେ ସାମିଲ ହୋଇ କାଳୀପଡିଆରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସ୍ୱାଧୀନତାର ୭ ଦଶନ୍ଧୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାରୀଶକ୍ତି ବନ୍ଦନ ଅଧିନିୟମ ଆଣିଥିଲେ।

       ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା। ରାଜନୀତ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା। ମାତ୍ର କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଣ୍ଟ ଏହାକୁ ସଂସଦରେ ପାରିତ କରେଇ ଦେଇନଥିଲା। ବିଜେଡି ଏହାକୁ ସମର୍ଥନ କରିଥିଲା। ଏଥିରୁ ବିରୋଧୀଦଳ ଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ସେମାନଙ୍କ ଏହି ମହିଳା ବିରୋଧୀ ଷଡ଼ଯନ୍ତ୍ର ବିରୋଧରେ ଆକ୍ରୋଶ ପ୍ରତିଫଳିତ ହେଉଛି ।

      ଦେଶବ୍ୟାପୀ ଏବେ ପ୍ରତିବାଦ ଓ ଆନ୍ଦୋଳନ କରାଯାଉଛି। ଏହି ମହିଳା ଆକ୍ରୋଶକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି ତରଫରୁ ଗତ ୨୨ ତାରିଖରେ ରାଜଧାନୀ ଭୁବନେଶ୍ୱଠାରେ ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆୟୋଜନ କରାଯାଇଥିଲା। ସେହିପରି ଗତ ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜନ ଆକ୍ରୋଶ ମହିଳା ସମ୍ମିଳନୀ ଓ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦୁଝରରେ ଅନୁରୂପ କାର୍ଯ୍ୟକ୍ରମ ସୋମବାର ସନ୍ଧ୍ୟାରେ ହୋଇଯାଇଛି। ସମାଜର ବିଭିନ୍ନ ବର୍ଗର ମହିଳାମାନେ ଏଥିରେ ସାମିଲ ହୋଇଛନ୍ତି।

       ଏହି କାର୍ଯ୍ୟକ୍ରମରେ ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ସଭାପତି ମମିତା ନାଏକ ଓ ଉପସଭାପତି ମାନସ ନା ଏକ, ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଦାଶମତି ଚାତାର, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସାବିତ୍ରୀ ବିଶ୍ୱାଳ, ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା କିରଣବାଳା ନାୟକ, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଙ୍କା ସିଂ ରାଣା, ରାଜ୍ୟ ବିଜେପି ସମ୍ପାଦିକା ମମତା ସିଂ, ଜିଲ୍ଲା ସାଧାରଣ ସମ୍ପାଦିକା ଯଶସ୍ବୀନି ବଳ, ରାଜ୍ୟ ମହିଳାମୋର୍ଚ୍ଚା ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତ, ଜିଲ୍ଲା ଟୋଲି ସଦସ୍ୟା ଗୀତାଞ୍ଜଳି ମହାନ୍ତ, ନଳିନୀ ମହାନ୍ତଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *