୫୮୪ଖଣି ପ୍ରଭାବିତ ଗାଁରେ ଟଙ୍କାଟିଏ ହୋଇନି ଖର୍ଚ୍ଚ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ସୁନ୍ଦରଗଡ଼ ଜିଲାରେ ଖଣିଜ ପାଣ୍ଠିର ଦୁରୁପଯୋଗ ଓ ଅପଚୟ ସମ୍ପର୍କରେ ସିଏଜି ରିପୋର୍ଟରେ ସାଂଘାତିକ ତଥ୍ୟ ଉପସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାରେ ଖଣି କାର୍ଯ୍ୟ ଦ୍ୱାରା ପ୍ରଭାବିତ ଲୋକ ଓ ଅଞ୍ଚଳର ସ୍ୱାର୍ଥ ପାଇଁ ପାନୀୟଜଳ ଯୋଗାଣ, ପରିବେଶ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ଏବଂ ପରିମଳ ପରିଚାଳନା ପାଇଁ ଜିଲା ଖଣିଜ ପାଣ୍ଠି ଖର୍ଚ୍ଚ କରାଯିବା ନିୟମ ଥିବାବେଳେ ଏହି ଜିଲାରେ ଏହାର ଗୁରୁତର ବ୍ୟତିକ୍ରମ ଘଟିଛି।
ଖଣି ଅଞ୍ଚଳବାସୀଙ୍କ ସ୍ବାର୍ଥ ସହିତ କୌଣସି ସମ୍ପର୍କ ନଥିବା କ୍ଷେତ୍ରରେ ଖଣିଜ ପାଣ୍ଠିରୁ ଶହ ଶହ କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଛି। ଅଥଚ ଖଣି ପ୍ରଭାବିତ ଶହ ଶହ ଗାଁରେ ଏହି ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଇନାହିଁ। ଏହା ଓଡ଼ିଶା ରାଜ୍ୟ ଖଣିଜ ପ୍ରତିଷ୍ଠାନ ଆଇନର ଗୁରୁତର ଉଲ୍ଲଂଘନ ହୋଇଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି।

ଅଡିଟ ରିପୋର୍ଟରୁ ଜଣାପଡ଼ିଛି ଯେ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲାରେ ୨୦୧୫ରୁ ୨୦୨୪ ମଧ୍ୟରେ ୧୭ ହଜାର ୯୨୬ କୋଟି ଟଙ୍କାର ୯୭୩୯ଟି ପ୍ରକଳ୍ପ ମଞ୍ଜୁର ହୋଇଥିଲା। ତେବେ ୪୮୮ଟି ପ୍ରତ୍ୟକ୍ଷ ପ୍ରଭାବିତ ଗାଁ ଓ ୯୬ଟି ପରୋକ୍ଷ ପ୍ରଭାବିତ ଗାଁ ପାଇଁ ଗୋଟିଏ ବି ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ଅଥଚ ଖଣି ଦ୍ୱାରା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରଭାବିତ ହୋଇ ନଥିବା ୯୭୬ ଗାଁରେ ୯୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଉଦାହରଣ ସ୍ବରୂପ ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକର ହେମଗିର ପଞ୍ଚାୟତ ଭଳି ଖଣି ଦ୍ବାରା ପ୍ରତ୍ୟକ୍ଷ ଭାବେ
ପ୍ରଭାବିତ ପଞ୍ଚାୟତଗୁଡ଼ିକୁ କୌଣସି ବିକାଶମୂଳକ ପ୍ରକଳ୍ପ ଦିଆଯାଇନାହିଁ। ସିଏଜି ଅଡିଟରମାନେ ଏହି ବ୍ଲକର ଓସ୍ତାଲି ଓ ବିଶ୍ୱନାଥପୁର ଆଦି ଗାଁରେ ଖଣିଜ ପ୍ରତିଷ୍ଠାନ ପାଣ୍ଠି ଖର୍ଚ୍ଚ ହୋଇଥିବା ଚିହ୍ନବର୍ଣ୍ଣ ପାଇଲେ ନାହିଁ। ଯଦିଓ ପ୍ରଶାସନ ଦାବି କରିଥିଲା ଯେ ଏହି ବ୍ଲକ ପାଇଁ ୫୭୯.୪୭ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି।

ସୁନ୍ଦରଗଡ଼ ଜିଲାରେ ଖଣିଜ ପାଣ୍ଠିର ଦୁରୁପଯୋଗର ଅନ୍ୟ ଏକ ଜ୍ବଳନ୍ତ ଉଦାହରଣ ଦେଇଛି ଅଡିଟ୍ ରିପୋର୍ଟ। ୨୦୨୩ରେ ହକି ବିଶ୍ୱକପ୍ ଆୟୋଜନ ପାଇଁ ଜିଲା ଖଣିଜ ପାଣ୍ଠିରୁ ୧୩୬.୭୭ କୋଟି ଟଙ୍କା ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ ଓ ନବୀକରଣ ପାଇଁ ଖର୍ଚ୍ଚ କରାଯାଇଛି। ଆନ୍ତର୍ଜାତୀୟ ମ୍ୟାଚ୍ ପାଇଁ ବ୍ୟବହୃତ ହୋଇଥିବା ଏହି ହକି ଷ୍ଟାଡିୟମରେ ଖଣି ପ୍ରଭାବିତ ଲୋକଙ୍କ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଖଣିଜ ପାଣ୍ଠି ଖର୍ଚ୍ଚ କରାଯାଇଛି ବୋଲି କୁହାଯିବା ଆଦୌ ଗ୍ରହଣୀୟ ନୁହେଁ। କାରଣ ରାଉରକେଲାରେ ନିର୍ମିତ ଏହି ଷ୍ଟାଡିୟମ ଖଣି ପ୍ରଭାବିତ ଲୋକଙ୍କ କାମରେ ଆସୁନାହିଁ। ତେଣୁ ଖଣିଜ ପାଣ୍ଠି ଆଇନର ସାଂଘାତିକ ଉଲ୍ଲଂଘନ ହୋଇଛି ବୋଲି ସିଏଜି ରିପୋର୍ଟରେ ଆପତ୍ତି ଉଠାଇଛି।
ସେହିପରି ସୁନ୍ଦରଗଡ଼ ଜିଲାରେ ୨୫ଟି ପୁଲିସ ପାଟ୍ରୋଲିଂ ଗାଡ଼ି କିଣିବା ପାଇଁ ୪ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଖଣି ପ୍ରଭାବିତଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଟଙ୍କା ପୁଲିସ ବିଭାଗର ଗାଡ଼ି କିଣାରେ ଖର୍ଚ୍ଚ କରାଯିବା ନେଇ ମଧ୍ୟ ସିଏଜି ରିପୋର୍ଟରେ ଆପତ୍ତି ଉଠାଯାଇଛି।

ଅନ୍ୟ ଏକ ଉଦାହରଣ ଦେଇ ସିଏଜି ରିପୋର୍ଟ ଦର୍ଶାଇଛି ଯେ, କୋଇଡ଼ା ବ୍ଲକରେ ୮ଟି ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଖଣିଜ ପାଣ୍ଠିରୁ ସାଢ଼େ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ସେଥିରୁ ୪ଟି କେନ୍ଦ୍ର ଅଗମ୍ୟ ଅଞ୍ଚଳରେ ତିଆରି ହୋଇଥିବାରୁ ସେଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇ ନପାରି ଭୂତକୋଠି ପାଲଟିଛି। ଏହା ମଧ୍ୟ ଖଣିଜ ପାଣ୍ଠି ଦୁରୁପଯୋଗର ଅନ୍ୟ ଏକ ଉଦାହରଣ ବୋଲି ରିପୋର୍ଟରେ କୁହାଯାଇଛି।
ଓଡ଼ିଶା ଜିଲା ଖଣିଜ ପାଣ୍ଠି ନିର୍ଦେଶାବଳୀର ଗୁରୁତର ଉଲ୍ଲଂଘନ କରି ଏହିଭଳି ଶହ ଶହ କୋଟି ଟଙ୍କା ଅପଚୟ କରାଯାଇଥିବା ଅଡିଟ୍ ରିପୋର୍ଟରେ ଦର୍ଶାଇଛି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲା ଖଣିଜ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଷମା ବିଲୁଙ୍ଗଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଅଡିଟ ରିପୋର୍ଟରେ ଯେଉଁ ସବୁ ଖର୍ଚ୍ଚ ଉପରେ ଆପତ୍ତି ଉଠାଯାଇଛି ଆମେ ସେ ସବୁର ଯଥାଯଥ ଜବାବ ଦାଖଲ କରିଥିଲୁ ଓ ତାହା ଗୃହୀତ ମଧ୍ୟ ହୋଇଛି।
