ଭଗବାନ ବିର୍ସା ମୁଣ୍ଡାଙ୍କ ତ୍ୟାଗ ଓ ସଂଘର୍ଷ ସ୍ମରଣୀୟ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମହାନ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ରବିବାର କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଅଡିଟୋରିୟ ଠାରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ଦେଶପ୍ରେମକୁ ସ୍ମରଣ କରିବା ସହ ଜନଜାତି ସମାଜର ଅଧିକାର, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂସଦ ଅନନ୍ତ ନାୟକ କହିଥିଲେ ଯେ, ଜନଜାତି ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ଅଧିକାର, ପରମ୍ପରା ଓ ସଂସ୍କୃତି ପ୍ରତି ସଚେତନ ହେବା ସହ ସ୍ୱାଭିମାନର ସହ ଜୀବନଯାପନ କରିବା ଆବଶ୍ୟକ। ଜନଜାତି ସମାଜର ଜୀବନଶୈଳୀ, ପାରମ୍ପରିକ ଜ୍ଞାନ, କୃଷି ପଦ୍ଧତି ଓ ପ୍ରକୃତି ସହ ନିବିଡ଼ ସମ୍ପର୍କ ଆମ ସମାଜ ପାଇଁ ଏକ ମୂଲ୍ୟବାନ ସମ୍ପଦ। ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶକୁ ସ୍ମରଣ କରି ସେ କହିଥିଲେ, ଜଙ୍ଗଲ ଆମ ମାଆ ସଦୃଶ। ଜଙ୍ଗଲର ସୁରକ୍ଷା କରିବା ଅର୍ଥ ଆମ ପ୍ରକୃତି ଓ ଜୀବନଧାରାକୁ ସୁରକ୍ଷିତ ରଖିବା। ତେଣୁ ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ସହ ପରିବେଶର ସନ୍ତୁଳନ ବଜାୟ ରଖିବା ସମସ୍ତଙ୍କ ଦାୟିତ୍ୱ। ଜନଜାତି ସମାଜର ପାରମ୍ପରିକ ଜ୍ଞାନ, ସଂସ୍କୃତି ଓ ଦେଶପ୍ରତି ସମର୍ପଣ ଭାବନାକୁ ଉଚିତ ସମ୍ମାନ ଦେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ମଞ୍ଚାସୀନ ଅତିଥିମାନଙ୍କ କରକମଳରେ ‘ଜନଜାତି ଗୌରବ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ନିଜସ୍ୱ ଉଦ୍ୟମରେ ୩ କିଲୋମିଟର କେନାଲ ଖୋଳି ଜଳସେଚନର ବ୍ୟବସ୍ଥା କରିଥିବା ପଦ୍ମଶ୍ରୀ ଦୈତାରୀ ନାଏକ ଏବଂ ଭଗାମୁଣ୍ଡା ଟସର ସିଲ୍କ ପାର୍କ ମାଧ୍ୟମରେ ମହିଳାମାନଙ୍କୁ ଜୀବିକା ଓ ସ୍ୱାବଲମ୍ବନର ସୁଯୋଗ ଦେଇଥିବା ଆଦିବାସୀ ମହିଳା ଉଦ୍ୟୋଗୀ କୁନି ଦେହୁରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ, ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଅନୁବ୍ରତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶିବ ଶଙ୍କର ମିଶ୍ର ଉପସ୍ଥିତ ଥିଲେ। ଜନଜାତିୟ ଗୌରବ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏଥିସହ ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଆୟୋଜିତ ଜାତୀୟସ୍ତରୀୟ ଜନଜାତିୟ ଗୌରବ ଦିବସ ସମାରୋହରେ ନୂଆଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଡ଼ି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ସିଧାପ୍ରସାରଣ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ସତ୍ୟଜିତ ମିଶ୍ର ସୁଚାରୁରୂପେ ସଂଯୋଜନା କରିଥିଲେ। ଏହି ଉତ୍ସବରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଜନଜାତି ସମ୍ପ୍ରଦାୟ ବ୍ୟକ୍ତିବିଶେଷ ଓ ସାଧାରଣ ଜନତା ଯୋଗ ଦେଇଥିଲେ।
