କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଟି-୨୦ରେ ଭାରତକୁ ୨୪ ରନ୍ରେ ପରାସ୍ତ କରି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳ ବିଜୟୀ ହୋଇଛି । ଫଳରେ ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳା ୨-୨ରେ ବରାବର ହୋଇଛି ।
ଭାରତୀୟ ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ ହରାଇ ୨୪୭ ରନ୍ର ବିଶାଳ ସ୍କୋର କରିଥିଲା । ଦମଦାର ଫର୍ମରେ ଥିବା ୱେଷ୍ଟଇଣ୍ଡିଜ ଅଧିନାୟକ ସେ ହୋପ୍ ପୁଣିଥରେ ନିଜ ବ୍ୟାଟ୍ର ଯାଦୁ ଦେଖାଇଥିଲେ । ହୋପ ମାତ୍ର ୫୦ଟି ବଲ୍ ଖେଳି ୪ ଚୌକା ଓ ୯ ଛକ୍କା ବଳରେ ୧୦୨ ରନ୍ କରି ଅପରାଜିତ ଥିଲେ । ସେମିତି ଜ୍ୱେଲ ଆଣ୍ଡ୍ର୍ୟୁ ୨୧ ଓ ହେଟ୍ମେୟର ୩୩ ରନ୍ ସଂଗ୍ରହ କରି ଭାରତ ଆଗରେ ୨୪୭ ରନ୍ର ଏକ କଠିନ ଲକ୍ଷ୍ୟ ଠିଆ କରିଥିଲେ ।
ଓପନର ସଞ୍ଜୁ ସାମସନଙ୍କ ଲଢୁଆ ୫୬ ରନ୍ ସତ୍ତ୍ୱେ ଭାରତ ୨୪ ରନ୍ ବାକିଥାଇ ସମସ୍ତ ୱିକେଟ ହରାଇଥିଲା । ସଞ୍ଜୁ ସାମସନ ୨୩ ବଲ୍ରେ ୫୬ ରନ୍ ହାସଲ କରିଥିବା ବେଳେ ଅଭିଷେକ ଶର୍ମା ୨୯, ଇଶାନ କିଷାନ ୬, ଶ୍ରେୟସ ଆୟାର ୧୬, ତିଲକ ବର୍ମା ୪୩, ନମନ ଧୀର ଶୂନ୍ୟ, ନୀତିଶ କୁମାର ରେଡ୍ଡି ୪୧, ଅକ୍ଷର ପଟେଲ ୩ ଓ ପ୍ରିନ୍ସ ଯାଦବ ଶୂନରେ ଆଉଟ ହୋଇଥିଲେ । ଅର୍ଶଦୀପ ସିଂହ ୫ ରନ୍ କରି ରିଟାୟାର୍ଡ ହର୍ଟ ହୋଇଯିବାରୁ ଭାରତୀୟ ପାଳି ୨୨୩ ରନ୍ରେ ସମାପ୍ତ ହୋଇଥିଲା ।
