ମହିଳାଙ୍କ ପାଇଁ ପ୍ରେରଣା ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳକ ଶୁଭଲକ୍ଷ୍ମୀ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କେନ୍ଦୁଝରର ରାଜ ରାସ୍ତାରେ ତାଙ୍କ ଯାତ୍ରା କେବଳ ଗନ୍ତବ୍ୟସ୍ଥଳକୁ ଯାତ୍ରୀ ପହଞ୍ଚାଇବାର କାହାଣୀ ନୁହେଁ । ଏହା ମହିଳାଙ୍କ ଦକ୍ଷତା, ଆତ୍ମନିର୍ଭରତା ଓ ବଦଳୁଥିବା ସାମାଜିକ ଧାରଣାର ଏକ ପ୍ରତିଫଳନ ।

        ପ୍ରତିଦିନ ସକାଳେ କେନ୍ଦୁଝରର ରାସ୍ତାରେ ଗଡ଼ିଥାଏ ଏକ ଇଲେକ୍ଟ୍ରିକ୍ ବସ୍। ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଆଗକୁ ବଢ଼ୁଥିବା ଏହି ବସ୍‌ର ଷ୍ଟିଅରିଂ ଧରିଥାନ୍ତି ଶୁଭଲକ୍ଷ୍ମୀ ମହାନନ୍ଦ। ଯାତ୍ରୀଙ୍କ ପାଇଁ ଏହା ହୁଏତ ଦୈନନ୍ଦିନ ଯାତାୟାତର ଏକ ଅଂଶ। କିନ୍ତୁ ଶୁଭଲକ୍ଷ୍ମୀଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ପରିଚୟର ଯାତ୍ରା। ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳକ।

         ଦୀର୍ଘଦିନ ଧରି ପୁରୁଷ ପ୍ରଧାନ ବୃତ୍ତି ଭାବେ ପରିଚିତ ବସ୍ ଚାଳନା କ୍ଷେତ୍ରରେ ଶୁଭଲକ୍ଷ୍ମୀଙ୍କ ଉପସ୍ଥିତି ଏକ ବଦଳୁଥିବା ସମୟର ସଙ୍କେତ। ଏହି କାର୍ଯ୍ୟ ପାଇଁ କେବଳ ଗାଡ଼ି ଚାଳନାର ଦକ୍ଷତା ଯଥେଷ୍ଟ ନୁହେଁ । ଏଥିପାଇଁ ଆବଶ୍ୟକ ଏକାଗ୍ରତା, ଶୃଙ୍ଖଳା, ରାସ୍ତାର ପରିସ୍ଥିତି ପ୍ରତି ସତର୍କତା ଏବଂ ପ୍ରତ୍ୟେକ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଦାୟିତ୍ୱବୋଧ। ଏହି ଦାୟିତ୍ୱ ତୁଲାଇ ଶୁଭଲକ୍ଷ୍ମୀ ପ୍ରମାଣ କରୁଛନ୍ତି ଯେ ଦକ୍ଷତାର କୌଣସି ଲିଙ୍ଗ ନାହିଁ।

         କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଅଧୀନରେ କାର୍ଯ୍ୟରତ ଶୁଭଲକ୍ଷ୍ମୀଙ୍କ ଏହି ଯାତ୍ରା କେବଳ ବୃତ୍ତିଗତ ସଫଳତାର କାହାଣୀ ନୁହେଁ, ବରଂ ମହିଳାଙ୍କ ଆର୍ଥିକ ସ୍ୱାଧୀନତା ଓ କର୍ମକ୍ଷେତ୍ରରେ ସମାନ ସୁଯୋଗର ଗୁରୁତ୍ୱକୁ ମଧ୍ୟ ଉଜାଗର କରୁଛି। ପରିବହନ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଲେ ନିଯୁକ୍ତିର ନୂଆ ଦିଗ ଖୋଲିବା ସହ ପାରମ୍ପରିକ ଧାରଣାରେ ମଧ୍ୟ ପରିବର୍ତ୍ତନ ଆସିପାରିବ। ଶୁଭଲକ୍ଷ୍ମୀଙ୍କ ଉଦାହରଣ ଅନ୍ୟ ମହିଳାଙ୍କୁ ଏପରି ବୃତ୍ତିକୁ ନିଜ କ୍ୟାରିୟର୍ ଭାବେ ବାଛିବା ପାଇଁ ପ୍ରେରଣା ଯୋଗାଇଛି ।

Leave a Reply

Your email address will not be published. Required fields are marked *