ଗିରଫ ଅଭିଯୁକ୍ତଙ୍କ ନାମ ଓ ଫଟୋ ଦେବାକୁ ପୁଲିସ କୁନ୍ଥୁକୁନ୍ଥୁ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଘଟଗାଁ ଥାନା ଅଧୀନ ଖୁଦପୁଟୁଳି ଗ୍ରାମରେ ଘଟିଥିବା ରାତ୍ରିକାଳୀନ ସଶସ୍ତ୍ର ଅନୁପ୍ରବେଶ ଓ ଗୁଳିକାଣ୍ଡ ମାମଲାରେ ପୁଲିସକୁ ସଫଳତା ମିଳିଛି। ଏହି ଘଟଣା ସମ୍ପର୍କରେ ଘଟଗାଁ ଥାନା କେସ୍ ନମ୍ବର ୪୦୮/୨୦୨୬, ତାରିଖ ୩.୮.୨୦୨୬ରେ ବିଏନଏସର ଧାରା ୩୩୧(୮)/୩୧୦(୩) ସହିତ ଆର୍ମସ୍ ଆକ୍ଟର ଧାରା ୨୫/୨୭ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
ପୁଲିସ ସୂଚନା ଅନୁଯାୟୀ, ୨ ଅଗଷ୍ଟ ୨୦୨୬ ରାତିରେ କିଛି ବ୍ୟକ୍ତି ଚୋରି/ଡକାୟତି ଉଦ୍ଦେଶ୍ୟରେ ଖୁଦପୁଟୁଳି ଗ୍ରାମର ଯତୀନ୍ଦ୍ର ମହାନ୍ତଙ୍କ ଘରେ ପ୍ରବେଶ କରିଥିଲେ। ଯତୀନ୍ଦ୍ର ଏହାର ପ୍ରତିରୋଧ କରିବାରୁ ଜଣେ ଅନୁପ୍ରବେଶକାରୀ ଗୁଳି ଚଳାଇଥିଲା। ଏଥିରେ ଯତୀନ୍ଦ୍ର ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦୁଝର ଏବଂ ପରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୫ ଅଗଷ୍ଟରେ ତାଙ୍କର ମୃତ୍ୟୁ ହୋଇଥିଲା।
କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ଚିହ୍ନଟ, ଠାବ ଓ ଗିରଫ କରିବା ପାଇଁ ୯ଟି ତଦନ୍ତକାରୀ ଟିମ୍ ଗଠନ କରାଯାଇଥିଲା। ଟିମ୍ ଗୁଡ଼ିକ ଝାଡ଼ଖଣ୍ଡର ଚାଇଁବସା, ରାଞ୍ଚି, ଜାମସେଦପୁର ଓ ମଝିଗାଁ ଅଞ୍ଚଳରେ ଅପରାଧିକ ପୃଷ୍ଠଭୂମି ଯାଞ୍ଚ ସହ ବ୍ୟାପକ ତଦନ୍ତ ଓ ଗୁପ୍ତ ସୂଚନା ସଂଗ୍ରହ କରିଥିଲେ। ତଦନ୍ତରେ ଏପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ କରିଥିବା କେନ୍ଦୁଝର ପୁଲିସ ପକ୍ଷରୁ ସୋମବାର ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଉଛି। ତେବେ ସବୁଠୁ ବଡ଼ କଥା, ଗିରଫ ପରେ କୋର୍ଟ ଚାଲାଣ କରିଥିବା ୪ ଅଭିଯୁକ୍ତଙ୍କ ନାମ, ଠିକଣା ଓ ଫଟୋ ଦେବାକୁ ପୁଲିସ କୁନ୍ଥୁ କୁନ୍ଥୁ ହେବା ପଛର ଅସଲ ଉଦ୍ଦେଶ୍ୟ କ’ଣ ସେ ନେଇ ସାମ୍ବାଦିକ ସମ୍ମିଳନୀରେ କେତେକ ଗଣମାଧ୍ୟମ ପ୍ରତିନିଧି ଆସନ୍ତୋଷ ପ୍ରକାଶ କରିଥିଲେ । ଏହି ଘଟଣାରେ ଆହୁରି କିଛି ସହଯୋଗୀଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଥିବା ବେଳେ ଅନ୍ୟ ସମସ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ଓ ଗିରଫ ପାଇଁ ପୁଲିସର ଉଦ୍ୟମ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
