୩୦ରୁ କେନ୍ଦୁଝରରେ ଦୁଇଦିନିଆ ମଡେଲ ଇଣ୍ଟିଗ୍ରେଟେଡ୍ ମେଡିକାଲ ଶିବିର



କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଭାରତୀୟ ସେନାର ବାଲେଶ୍ୱର ଷ୍ଟେସନ ମୁଖ୍ୟାଳୟ ପକ୍ଷରୁ ଚଳିତମାସ ୩୦ ଓ ୩୧ ତାରିଖ ଦୁଇଦିନ ଧରି କେନ୍ଦୁଝର ଅଡିଟୋରିୟମ ଠାରେ ଏକ ବିଶାଳ ‘ମଡେଲ ଇଣ୍ଟିଗ୍ରେଟେଡ୍ ମେଡିକାଲ କ୍ୟାମ୍ପ’ ଆୟୋଜନ ହେବାକୁ ଯାଉଛି। ଓଡ଼ିଶା ଏବଂ ଛତିଶଗଡ ସବ୍ଏରିଆ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ଓ କେନ୍ଦୁଝର ଜିଲ୍ଲା ଭୂତପୂର୍ବ ସୈନିକ ସଂଘ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

         ଏହି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୩୦୦୦ରୁ ଅଧିକ ଭୂତପୂର୍ବ ସୈନିକ, ବୀର ନାରୀ, ବୀର ମାତା, ଅକ୍ଷମ ସୈନିକ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଯୋଗାଇ ଦିଆଯିବ । ବିଶେଷକରି ଦୂରଦୂରାନ୍ତରେ ରହୁଥିବା ସେନା ପରିବାର ଯେଉଁମାନେ ଉପଯୁକ୍ତ ଚିକିତ୍ସା ଓ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ନିକଟରେ ଚିକିତ୍ସା ସେବା ପହଞ୍ଚାଇବା ଏହାର ମୂଳ ଲକ୍ଷ୍ୟ ।

    ଏହି ଶିବିରରେ  ବିଶେଷଜ୍ଞଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା, ଚକ୍ଷୁ ଓ ଦନ୍ତ ଚିକିତ୍ସା ଉପଲବ୍ଧ ହେବ । ବୌଦ୍ଧିକ ଅକ୍ଷମତା ପରୀକ୍ଷା ଏବଂ ତତ୍କାଳ ‘ୟୁଡିଆଇ’ ଡି କାର୍ଡ ପ୍ରଦାନ, ୭୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ‘ଆୟୁଷ୍ମାନ ବୟ ବନ୍ଦନା ଯୋଜନା’ କାର୍ଡ ପ୍ରଦାନ,  ‘ସ୍ପର୍ଶ ‘ ମାଧ୍ୟମରେ ପେନସନ ସମ୍ବନ୍ଧୀୟ ଅଭିଯୋଗର ସମାଧାନ, ଇସିଏଚଏସ ପଞ୍ଜିକରଣ, ସିଏସଡି ସୁବିଧା, ଆଇନଗତ ପରାମର୍ଶ ଏବଂ ନିଯୁକ୍ତି ସହାୟତା ମଧ୍ୟ ଏହି ଶିବିରରେ ମିଳିବ ।

   ସାଧାରଣ ଜନତାଙ୍କ ପାଇଁ ସୁବିଧାସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ସାଧାରଣ ଜନତାଙ୍କୁ ମଧ୍ୟ କିଛି ସୀମିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ଯାହା ଦ୍ୱାରା ସାମରିକ ଓ ବେସାମରିକ ସମ୍ପର୍କ ଅଧିକ ସୁଦୃଢ଼ ହେବ ।

      ଏହି ଅବସରରେ ଛତିଶଗଡ ଓ ଓଡ଼ିଶା ସବ୍ଏରିଆ କମାଣ୍ଡର ବ୍ରିଗେଡିୟର ଟି.ଏସ୍. ବାୱା କହିଛନ୍ତି ଯେ, କେନ୍ଦୁଝରରେ ଅନୁଷ୍ଠିତ ଏହି ସମନ୍ୱିତ ଚିକିତ୍ସା ଶିବିର କେବଳ ଏକ ସେବା ମୂଳକ କାର୍ଯ୍ୟ ନୁହେଁ, ବରଂ ଏହା ଏକ ପ୍ରତିଶ୍ରୁତି। ଆମର ଲକ୍ଷ୍ୟ ହେଉଛି ଭୌଗୋଳିକ ଦୂରତା କିମ୍ବା ବ୍ୟବସ୍ଥାରେ ଥିବା ସମସ୍ୟା ଯୋଗୁଁ ଯେପରି କୌଣସି ପୂର୍ବତନ ସୈନିକ କିମ୍ବା ତାଙ୍କ ପରିବାର ସୁବିଧାରୁ ବଞ୍ଚିତ ନ ହୁଅନ୍ତି। ଦେଶ ପାଇଁ ନିଃସ୍ୱାର୍ଥପର ଭାବେ ସେବା କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ।

     ଏହି କାର୍ଯ୍ୟକ୍ରମ ଦ୍ୱାରା ସେନା, ଜିଲ୍ଲା ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ। ଏହି ଶିବିରରେ ସମସ୍ତ ପୂର୍ବତନ ସୈନିକ ଓ ସେମାନଙ୍କ ପରିବାରବର୍ଗ ଯୋଗଦେଇ ଏହାର ଲାଭ ଉଠାଇବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *