କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବଙ୍ଗୋପସାଗରରୁ ସୃଷ୍ଟ ଅବପାତ ୨ଦିନ ହେବ ଓଡ଼ିଶାକୁ ଜଳମଗ୍ନ କରି ରଖିଛି । ଅଧିକାଂଶ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଅବପାତ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ଥିବାରୁ ସେଠାରେ ପ୍ରବଳରୁ ଅତିପ୍ରବଳ ବର୍ଷ ସହ ଦଲକା ପବନ ମଧ୍ୟ ହେଉଛି । ରାୟଗଡା ଠାରୁ ୮୦ କି.ମି ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ କୋରାପୁଟ ଠାରୁ ୯୦ କି.ମି ପୂର୍ବ ଏବଂ ଦକ୍ଷିଣ ପୂର୍ବ ଦିଗରେ ଏବେ ଏହା କେନ୍ଦ୍ରୀଭୂତ ଅଛି । ଯାହାଫଳରେ ସେଠାରେ ମୂଶଳ ଧାରାରେ ଅବର୍ଷା ଅବ୍ୟାହତ ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ତୀବ୍ର ପବନ ମଧ୍ୟ ଲାଗି ରହିଛି ।
ଗୋପାଳପୁରରେ ଘଣ୍ଟାପ୍ରତି ୭୧, ପୁରୀରେ ୬୫, ଭୁବନେଶ୍ୱରରେ ୫୩ ଏବଂ ବାଲେଶ୍ୱରରେ ଘଣ୍ଟାପ୍ରତି ପବନର ବେଗ ୪୨ କି.ମି ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ୨୪ ତାରିଖ ମଧ୍ୟରାତ୍ର ସୁଦ୍ଧା ଏହା ଅବପାତରେ ପରିଣତ ହୋଇ ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେବ । ତେବେ ଶୁକ୍ରବାର ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ।
ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଘଣ୍ଟା ପାଇଁ ନବରଙ୍ଗପୁର, କଳାହାଣ୍ଡି ଏବଂ କୋରାପୁଟ ଜିଲାକୁ ରେଡ୍ ଆଲର୍ଟ ଘୋଷଣା କରାଯାଇଛି । ସେହିପରି ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର ଏବଂ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
