କେନ୍ଦୁଝର ସାଇନ(ଜ୍ଞାନରଞ୍ଜନ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ବର୍ଷର ନିରବଛିନ୍ନ ଜନସେବା ଓ ସଫଳ ଶାସନକାଳ ପୂର୍ତ୍ତି ଅବସରରେ ଗୁରୁବାର ଠାରୁ ସାରା ଓଡ଼ିଶାରେ ମାସେବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୧୭ ସନ୍ଧ୍ୟାରେ ନିଜ ନିଜ ଘରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ।
ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଗତ ୫ ଦଶନ୍ଧିର ନିସ୍ୱାର୍ଥପର ସେବା ମନୋଭାବ ଏବଂ ୨୫ବର୍ଷର ସଫଳ ନେତୃତ୍ୱ ଭାରତକୁ ସମୃଦ୍ଧ, ଶକ୍ତିଶାଳୀ ଓ ଆତ୍ମନିର୍ଭରଶୀଳ କରିବାରେ ଅତୁଳନୀୟ ଯୋଗଦାନ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ପାଥେୟ କରି ଜିଲ୍ଲାସ୍ତରୀୟ ‘ସେବା ସଙ୍କଳ୍ପ କାର୍ଯ୍ୟକ୍ରମ’କୁ ସଫଳ କରିବା ପାଇଁ ଗାଁରୁ ସହର ସବୁଠି ଏକ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି।

ଜିଲ୍ଲାର ପ୍ରତ୍ୟେକ ବ୍ଲକ୍, ପଞ୍ଚାୟତ ଓ ସହରାଞ୍ଚଳରେ ସମୁଦାୟ ୪ ଲକ୍ଷ ୩୧ ହଜାର ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳିତ ହୋଇସାରିଛି। ଏହି ସାମୂହିକ ଉତ୍ସବରେ ଜିଲ୍ଲାର ସାଧାରଣ ନାଗରିକ, ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ସ୍ୱେଚ୍ଛାସେବୀ, ଦଳୀୟ କର୍ମକର୍ତ୍ତା ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ସ୍ୱତଃସ୍ଫୂର୍ତ୍ତ ଭାବେ ଅଂଶଗ୍ରହଣ କରିଥିଲେ। ଦୀପର ଏହି ଆଲୋକମାଳା ମାଧ୍ୟମରେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ ପାଇଁ ସାମୂହିକ ପ୍ରାର୍ଥନା କରିଥିଲେ ।
ସୂଚନାଯୋଗ୍ୟ ଯେ, ଆଜିଠାରୁ ଆରମ୍ଭ ହୋଇଥିବା ଏହି ମାସେବ୍ୟାପୀ (ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ) ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ଚାରାରୋପଣ, ସ୍ୱଚ୍ଛତା ଅଭିଯାନ ଏବଂ ବହୁବିଧ ଜନକଲ୍ୟାଣକାରୀ ସାମାଜିକ ସେବା କାର୍ଯ୍ୟକ୍ରମ ପରିଚାଳିତ ହେବ।
