ସଙ୍କଟରେ ଗଣମାଧ୍ୟମର ବିଶ୍ବସନୀୟତା

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଗଣମାଧ୍ୟମର ବିଶ୍ବସନୀୟତା ଉପରେ ସଙ୍କଟ ସୃଷ୍ଟି ହୋଇଛି। ଏହା ସବୁଠାରୁ ବଡ଼ ସମସ୍ୟା ପାଲଟି ଯାଇଛି। ଗଣମାଧ୍ୟମ ପୁଣି ଥରେ ନିଜର ବିଶ୍ବସନୀୟତା ବଜାୟ ରଖିବା ଜରୁରୀ। ଏହା ହିଁ ଏ ସମୟର ସବୁଠୁ ବଡ଼ ଆବଶ୍ୟକତା। ଏ ଦିଗରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବିଚାର କରିବା ଆବଶ୍ୟକ। ଗଣତନ୍ତ୍ରର ମଙ୍ଗଳ ପାଇଁ ସ୍ବାଧୀନ-ନିରପେକ୍ଷ ନ୍ୟାୟପାଳିକା ସହିତ ଗଣମାଧ୍ୟମ ବି ଜରୁରୀ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ଟିପ୍ପଣୀ ଦେଇଛନ୍ତି।

      ସରକାରଙ୍କ ତୋଷାମଦ କରୁଥିବା ନେଇ ଅନେକ ଜାତୀୟ ଗଣମାଧ୍ୟମ ଉପରେ ବିରୋଧୀ ଅଭିଯୋଗ ଲଗାଉ ଥିବାବେଳେ ଗଡ଼କରୀଙ୍କ ଏହି ମନ୍ତବ୍ୟ ନିଆଁରେ ଘିଅ ଢାଳିଛି। ଶନିବାର ଆଇଆଇଏମ ନାଗପୁର ମିଡିଆ କନକ୍ଲେଭ-୨୦୨୬ରେ ‘ଗଣମାଧ୍ୟମ, ନେତୃତ୍ବ ଓ ନୂଆ ବିଶ୍ବ ବ୍ୟବସ୍ଥା’ ଉପରେ ଚର୍ଚ୍ଚା କରି ଗଡ଼କରୀ କହିଛନ୍ତି ଯେ ବିଚାର କିମ୍ବା ବିଚାରଧାରାରେ ମତଭେଦ ହୋଇପାରେ। ମାତ୍ର ନିଜ ବିଚାରଧାରା ପାଇଁ ପ୍ରତିବଦ୍ଧ ରହିବା ଜରୁରୀ। ଏକବିଂଶ ଶତାବ୍ଦୀରେ ପ୍ରତ୍ୟେକ କ୍ଷେତ୍ର ପାଇଁ ବିଶ୍ବସନୀୟତା, ସଦ୍ଭାବନା ଓ ସଚ୍ଚୋଟତା ଜରୁରୀ ହୋଇଥାଏ।

       ସବୁ କ୍ଷେତ୍ରରେ ବିଶ୍ବସନୀୟତା ହ୍ରାସ ପାଇଛି। ମାତ୍ର ଗଣମାଧ୍ୟମର ବିଶ୍ବସନୀୟତା ସର୍ବାଧିକ ହ୍ରାସ ପାଇଛି। ତେବେ ଏଥିରେ ସବୁ ଗଣମାଧ୍ୟମ ସଂସ୍ଥା ସାମିଲ ନାହାନ୍ତି। ନିର୍ବାଚନରେ କିଏ ଜିତିବ ତାହା ଧାର୍ଯ୍ୟ କରିବୁ ବୋଲି ଖବରକାଗଜ ଓ ଗଣମାଧ୍ୟମ ସଂସ୍ଥା କହି ଚାଲିଥିଲେ। ମାତ୍ର ସାମାଜିକ ଗଣମାଧ୍ୟମ ଏହାକୁ ବଦଳାଇ ଦେଇଛି।

    ଯାହା ପାଖରେ ବିଶ୍ବସନୀୟତା ରହିଛି ତା’କୁ ନିଜର ପ୍ରଚାର କରିବାର ଆବଶ୍ୟକତା ପଡ଼େ ନାହିଁ। ସମାଜ ଓ ଦେଶ ହିତରେ ଲେଖିବା ପାଇଁ ସାମ୍ବାଦିକଙ୍କୁ ଗଡ଼କରୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଗୁଣାତ୍ମକ ପରିବର୍ତ୍ତନ ଲାଗି ସାମ୍ବାଦିକ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଭଲ କାମ ସହିତ ଭଲ ସାମ୍ବାଦିକଙ୍କୁ ମଧ୍ୟ ପ୍ରଶଂସା କରିବା ଉଚିତ। ନିଜର ବିଶ୍ବସନୀୟତା ଓ ବୃତ୍ତିର ମୂଳ ମୂଲ୍ୟବୋଧ ରକ୍ଷା କରୁଥିବା ଲୋକେ ହିଁ ଆଗାମୀ ଦିନରେ ତିଷ୍ଠି ରହିପାରିବେ। ଗଣତନ୍ତ୍ରକୁ ମଜଭୁତ କରିବା, ସାମାଜିକ ଓ ରାଷ୍ଟ୍ରୀୟ ସ୍ବାର୍ଥ ସୁରକ୍ଷା ଓ ଜ୍ଞାନରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବା ଲାଗି ଗଡ଼କରୀ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି।

   ଏହାଦ୍ବାରା ଭାରତକୁ ‘ବିଶ୍ବ ଗୁରୁ’ ତଥା ବିଶ୍ବ ନେତା ହେବାରେ ସହାୟତା ମିଳିବ। ଭାରତ ହେଉଛି ଗଣତନ୍ତ୍ରର ଜନନୀ ଓ ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର। ସମ୍ବିଧାନରେ ଗଣତନ୍ତ୍ରର ଚାରି ସ୍ତମ୍ଭ କାର୍ଯ୍ୟପାଳିକା, ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ ଗଣତନ୍ତ୍ରର ଉତ୍ତରଦାୟିତ୍ବ ଧାର୍ଯ୍ୟ କରାଯାଇଛି। ଗଡ଼କରୀ କହିିଛନ୍ତି ଯେ, ରାଜନୀତି ଓ ରାଜନୈତିକ ଦଳ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି। ଗଣତନ୍ତ୍ର ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ପ୍ରସଙ୍ଗରେ ସଚେତନତା ବଢ଼ାଇବା ମଧ୍ୟ ଜରୁରୀ । ସୂଚନାଯୋଗ୍ୟ ଯେ, ଗତ ୧୦ ବର୍ଷରେ ଭାରତରେ ୨୮ରୁ ୩୧ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଛନ୍ତି। ଗତବର୍ଷ ହତ୍ୟାର ଶିକାର ହୋଇଥିବା ଛତିଶଗଡ଼ ବିଜାପୁରର ମୁକେଶ ଚନ୍ଦ୍ରାକର ଏହାର ଜ୍ବଳନ୍ତ ଉଦାହରଣ। ରାସ୍ତା ନିର୍ମାଣରେ ଦୁର୍ନୀତି ନେଇ ଖବର ପ୍ରସାରଣ କରିବାରୁ ତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *