ବଦଳିଲେ ଏସ୍‌ସିବି ମେଡିକାଲ କଲେଜ ଡିନ ଓ ଅଧିକ୍ଷକ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ରବିବାର ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଏସ୍‌ସିବିର ଡିନ୍‌ (ଅଧ୍ୟକ୍ଷ) ଏବଂ ଅଧୀକ୍ଷକଙ୍କୁ ବଦଳି କରାଯାଇଛି। ବାରମ୍ବାର ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶେଷରେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ରବିବାର ଛୁଟିଦିନ ସତ୍ତ୍ବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ ବାରିପଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡାଙ୍କୁ ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ଭାବେ ନିଯୁକ୍ତ କରାଯାଇଛି।

   ସେହିପରି ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ଭାବେ କାର୍ଯ୍ୟରତ ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ ଏସ୍‌ସିବି ମେଡିକାଲ ସିଭିଟିଏସ୍ ପ୍ରଫେସର ଭାବେ ବଦଳି କରାଯାଇଛି। ଏଥିସହ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଏସ୍‌ସିବି‌ ମେଡିକାଲ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର ବାରିପଦା ମେଡିକାଲ କଲେଜର ଡିନ୍ ଭାବେ କାର୍ଯ୍ୟ କରିବେ। ଏସ୍‌ସିବି ଏଫ୍‌ଏମ୍‌ଟି ବିଭାଗ ମୁଖ୍ୟ ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଏସ୍‌ସିବି ମେଡିକାଲ ଅଧୀକ୍ଷକ ଭାବେ ନିଯୁକ୍ତ କରାଯାଇଛି।

   ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଡାକ୍ତର ସତ୍ୟଜିତ ରାୟଙ୍କୁ ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଭାବେ ଦାୟିତ୍ବ ଦିଆଯାଇଛି। ଏଥିସହ ଏସ୍‌ସିବିକୁ ଡେପୁଟେସନରେ ଥିବା ବ୍ରହ୍ମପୁର ମେଡିକାଲ କଲେଜ ଅସ୍ଥିଶଲ୍ୟ ବିଭାଗ ସହଯୋଗୀ ପ୍ରଫେସର ଡାକ୍ତର ତାପସ କୁମାର ପାଣିଗ୍ରାହୀଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜକୁ ବଦଳି କରାଯାଇଛି।

    ସୂଚନାଯୋଗ୍ୟ ଯେ, ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଜରୁରୀକାଳୀନ ଟ୍ରମା କେୟାର ଆଇସିୟୁରେଅଗ୍ନିକାଣ୍ଡ ଘଟି ୧୩ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପ୍ରାଥମିକ ପର୍ଯ୍ୟାୟରେ ସରକାର ୩ଜଣ ଆଗ୍ନିକ ଅଧିକାରୀ ଓ ବିଦ୍ୟୁତ୍‌ ବିଭାଗର ଜଣେ ଅଧିକାରୀଙ୍କ ସମେତ ମୋଟ ୪ଜଣଙ୍କୁ ନିଲମ୍ବିତ କରିଛନ୍ତି। ଘଟଣାର ଜିଲା ଜଜ୍‌ ଲକ୍ଷ୍ମୀଧର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ ଚାଲିଛି। ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୨୫ଲକ୍ଷ ଓ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରାଯାଇଛି। ତେବେ ଏ ନେଇ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ବାରମ୍ବାର ଖବର ପ୍ରକାଶ ପରେ ରାଜ୍ୟ ସରକାର ଏସ୍‌ସିବିରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏଥିସହ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଓ ସୁନ୍ଦରଗଡ଼ ମେଡ଼ିକାଲ କଲେଜର ବରିଷ୍ଠ ଅଧିକାରୀଙ୍କୁ ଏସ୍‌ସିବିକୁ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *