ଆନନ୍ଦପୁର ଉପଖଣ୍ଡରେ ବନ୍ୟା ପରିସ୍ଥିତି

ଦୈତରଣୀ ଓ କୁଶେଇ ନଦୀ ବିପଦସଙ୍କେତ ଉପରେ


୪୯ନଂ ଜାତୀୟ ରାଜପଥ ରୁଗୁଡିସାହିରେ ବାହ୍ୟଜଗତରୁ ବିଛିନ୍ନ


କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର) : ଲଘୁଚାପଜନିତ ଲଗାଣବର୍ଷା ଯୋଗୁଁ ଜିଲାର ଆନନ୍ଦପୁର ଉପଖଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ଅପରାହ୍ଣ ୪ଟା ସୁଦ୍ଧା ଜିଲ୍ଲାରେ ୮୧.୭୨ ମି.ମି ବର୍ଷା ହୋଇଛି । ସେଥ‌ିମଧ୍ୟରୁ ତେଲକୋଇ ବ୍ଲକରେ ସର୍ବାଧିକ ୧୭୬.୮ ମି.ମି, ହରିଚନ୍ଦନପୁର ବ୍ଲକରେ ୧୪୨.୪ ମି.ମି ବର୍ଷା ହୋଇଥିବା ବେଳେ ହାଟଡିହି ବ୍ଲକରେ ସର୍ବନିମ୍ନ ୩୦.୧ ମି.ମି ବର୍ଷା ହୋଇଥିବା ଜିଲା ଆପାତକାଳୀନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଲଗାଣବର୍ଷା ଯୋଗୁଁ ଆନନ୍ଦପୁର ଠାରେ ବୈତରଣୀ ନଦୀ ଓ ବେଲବାହାଳି ଠାରେ କୁଶେଇ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥ‌ିବା ସରକାରୀ ସୁତ୍ରରୁ ପ୍ରକାଶ ।

        ଆନନ୍ଦପୁର ଠାରେ ବୈତରଣୀ ନଦୀର ବିପଦସଙ୍କେତ ୩୮.୩୬ ମିଟର ହୋଇଥିବାବେଳେ ସନ୍ଧ୍ୟା ୬ଟା ବେଳକୁ ବିପଦସଙ୍କେତ ଟପି ୩୯ ୭୦୦ ମିଟର ଉର୍ଦ୍ଧ୍ବରେ ବନ୍ୟାଜଳ ପ୍ରବାହିତ ହୋଇଆସୁଛି । ସେହିପରି କୁଶେଇ ନଦୀରେ ଅପରାହ୍ନ ପ୍ରାୟ ୪ଟା ବେଳକୁ ବେଲବାହାଳି ଠାରେ ଏହା ବିପଦସଙ୍କେତ ଉପରେ ପ୍ରବାହିତ ହେଉଥ‌ିବା ଜିଲା ଆପାତକାଳୀନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

        ତେବେ ବନ୍ୟା ଯୋଗୁଁ ତେଲକୋଇ ବ୍ଲକ ଜଗମୋହନପୁର ନିକଟସ୍ଥ ରୁଗୁଡିସାହିଠାରେ ରାସ୍ତାର ଉଭୟ ପାର୍ଶ୍ଵରେ ବର୍ଷାଜଳ ପ୍ରବାହିତ ହେବାଯୋଗୁଁ ମଧ୍ୟାହ୍ନ ୧୨ଟାରୁ ଯାନବହାନ ଚଳାଚଳ ବନ୍ଦ କାରଣରୁ କୋଲକତା–ମୁମ୍ବାଇ ୪୯ନଂ ଜାତୀୟ ରାଜପଥ ଉପରେ ଶହ ଶହ ସଂଖ୍ୟାରେ ଯାନବାହାନ ରାସ୍ତାର ଉଭୟ ଦିଗରୁ ଅଟକି ରହିଥ‌ିବା ବେଳେ ଯାତ୍ରୀମାନଙ୍କୁ ନାହିଁନଥ‌ିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଉକ୍ତ ରାସ୍ତା ଦେଇ ଯାନବାହାନ ଚଳାଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯିବା ସହ ବିକଳ୍ପ ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପରାମର୍ଶ ଯୋଗାଇ ଦିଆଯାଇଛି ।

       ଆନନ୍ଦପୁର ଉପଖଣ୍ଡରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ଓ ରବୀନ୍ଦ୍ର କୁମାର ପ୍ରଧାନ ଏବଂ ଜିଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣଙ୍କ ନେତୃତ୍ବରେ ଏକ ଟିମ ସେଠାରେ ପହଞ୍ଚି ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇ ଦେବା ନେଇ ସମସ୍ତ ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଜଣାପଡିଛି । ଏଥିସହ ବନ୍ୟା ପ୍ରଭାବିତ ଲୋକ ଓ ଗୃହପାଳିତ ପଶୁଙ୍କୁ ମଧ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *