ଅନଲାଇନରେ ୪୪୫ ସେବା,ମିଳୁଛି ହାତଗଣତି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର):  ତ୍ବରିତ ସରକାରୀ ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୩ରୁ ଓଡ଼ିଶା ଜନସେବା ଅଧିକାର ଆଇନ କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଅନୁଯାୟୀ ୩୨ ବିଭାଗର ୪୪୫ ପ୍ରକାର ସେବାକୁ ଅନ୍‌ଲାଇନ ବ୍ୟବସ୍ଥା ସହ ଯୋଡ଼ା ଯାଇଛି। କିନ୍ତୁ ଅଧିକାଂଶ ଅନ୍‌ଲାଇନ ସେବା ଜନସାଧାରଣଙ୍କୁ ମିଳୁନାହିଁ। ଏହି ଦୃଷ୍ଟିରୁ ରାଜ୍ୟ ସରକାର ଏହି ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି।

    ବ୍ୟବସ୍ଥାକୁ ସୁଧାରିବା ଓ ତ୍ବରାନ୍ବିତ ଏଣିକି ସମସ୍ତ ଅନ୍‌ଲାଇନ ସେବାରେ ଅଟୋ-ଅପିଲ (ସ୍ବୟଂକୃତ ଆବେଦନ) ବ୍ୟବସ୍ଥା ସଂଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତମାସ ୨୪ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି। ଏଥିସହ ମେ’ ୧୫ ସୁଦ୍ଧା ନିଜ ବିଭାଗର ସମସ୍ତ ଅଫଲାଇନ ସେବାକୁ ଯୋଡ଼ି ସେଥିରେ ଅଟୋ-ଅପିଲ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ମଧ୍ଯ କହିଛନ୍ତି।
      ମୁଖ୍ୟ ସଚିବ ଗତ ମାର୍ଚ୍ଚରେ ଜାରି କରିଥିବା ଏହି ନିର୍ଦେଶନାମାକୁ ଅନେକ ବିଭାଗ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଛନ୍ତି। ଏହାକୁ ନେଇ ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଠ ପୁନର୍ବାର ସମସ୍ତ ବିଭାଗର ମୁଖ୍ୟଙ୍କୁ ପତ୍ର ଲେଖି ମୁଖ୍ୟ ସଚିବଙ୍କ ଆଦେଶ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି। ଆଗକୁ ୩୨ ବିଭାଗର ନୋଡାଲ ଅଧିକାରୀମାନଙ୍କୁ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ଡକାଯିବ । ତେଣୁ ତା ପୂର୍ବରୁ ଏହି କାମ ଶେଷ ହେବା ଜରୁରୀ ବୋଲି ସବୁ ବିଭାଗକୁ କୁହାଯାଇଛି। ସରକାରୀ ସେବାରେ ପାରଦର୍ଶିତା, କାର୍ଯ୍ୟଦକ୍ଷତା ଓ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୩ ମସିହାରୁ ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ସେବାକୁ ଅନ୍‌ଲାଇନ ବ୍ୟବସ୍ଥା ସହ ଯୋଡ଼ିବା ଆରମ୍ଭ କରିଥିଲେ।
        ଇତିମଧ୍ୟରେ ରାଜ୍ୟ ସରକାରଙ୍କ ୩୨ଟି ବିଭାଗର ୪୪୫ ସେବାକୁ ଅନଲାଇନ ପ୍ଲାଟଫର୍ମ ସହ ସଂଯୋଗ କରାଯାଇଛି। କିନ୍ତୁ ସିଂହଭାଗ ସେବା ଲୋକେ ଅନଲାଇନରେ ପାଉନାହାନ୍ତି। ସେଥିପାଇଁ ଜନସାଧାରଣ ହଇରାଣ ହେବା ସହିତ ସମୟୋଚିତ ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ମୁଖ୍ୟ ସଚିବ କ୍ଷୋଭ ପ୍ରକାଶ କରିବା ସହ ସେବା ପ୍ରଦାନ ବ୍ୟବସ୍ଥାର ପୁନଃ ଅବଲୋକନ କରିବା ଏବଂ ବ୍ୟବସ୍ଥାରେ ଥିବା ତ୍ରୁଟିପୂର୍ଣ୍ଣ ଅନାବଶ୍ୟକ ପ୍ରକ୍ରିୟାକୁ ବାଦ୍ ଦେବା ପାଇଁ କହିଛନ୍ତି।

       ଏହି କ୍ରମରେ ଅନଲାଇନ ପ୍ଲାଟଫର୍ମ ସହ ଜଡ଼ିତ ସରକାରୀ ସେବାରେ ଅଟୋ-ଅପିଲ ବ୍ୟବସ୍ଥା ସଂଯୋଗ କରାଯାଉଛି। ଏହା ଫଳରେ ଯଦି କୌଣସି କାମ ପାଇଁ ନିର୍ଦ୍ଧାରିତ ସମୟ ଭିତରେ ସମ୍ପୃକ୍ତ ଲୋକଙ୍କୁ ସେବା ମିଳୁ ନାହିଁ ତା ହେଲେ ସେଥିରେ ସ୍ବୟଂକୃତ ଭାବେ ସ୍ବତଃ ଆବେଦନ ବ୍ୟବସ୍ଥା କାମ କରିବ। ଯଦ୍ଦ୍ବାରା ଆବେଦନକାରୀଙ୍କୁ ଆଉ ହଇରାଣ ନକରି ତାଙ୍କ ପକ୍ଷରୁ ଅଟୋ-ଅପିଲ ସମ୍ପୃକ୍ତ ବିଭାଗରେ ପହଞ୍ଚିବ ଏବଂ ସମ୍ପୃକ୍ତ ଅଧିକାରୀ ଏହାକୁ କାର୍ଯ୍ୟକାରୀ କରିବେ। ତେଣୁ ଧାର୍ଯ୍ୟ ସମୟ ଭିତରେ ଅଟୋ-ଅପିଲ୍‌ କାର୍ଯ୍ୟକାରୀ କରିବା ଏବଂ ସମସ୍ତ ଅଫଲାଇନ ସେବାକୁ ଅନଲାଇନ ସହ ଯୋଡ଼ିବା ପାଇଁ ନିର୍ଦେଶ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *