କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମଙ୍ଗଳବାର ଅପରାହ୍ନରେ ହଠାତ କାଳବୈଶାଖୀରେ କୁଆପଥର ବର୍ଷା ଯୋଗୁଁ ପାଟଣା ସାହାରପଡା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପାଟଣା ଓ ସାହାରପଡା ବ୍ଲକର ୬ରୁ ୭ଟି ପଞ୍ଚାୟତରେ ବ୍ୟାପକ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ମାଡ ହୋଇଥିଲା।
ଦିନ ଗୋଟାଏ ପରେ ପାଟଣା ବ୍ଲକର ବିଭିନ୍ନ ପଞ୍ଚାୟତରେ ବର୍ଷା ଓ କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପାଟଣା, ଏରେଣ୍ଡେଇ, ମୁଷାଖରୀ, ଡୁମୁରିଆ, ମିରିଗିଖୋଜି, ସାରାସକୋଲା ପଞ୍ଚାୟତ ଅଞ୍ଚଳରେ ଶହ ଶହ ଖପର ଘର, ଟାଇଲ ଓ ଆଜବେଷ୍ଟ ଟିଣ ଛପର ଘର କୁଆପଥର ମାଡରେ ଭାଙ୍ଗି ରୁଜି ଯିବା ସହିତ ଆସବାବପତ୍ର ଓ ଧାନଚାଉଳ ମଧ୍ୟ ନଷ୍ଟ ହୋଇଯାଇଛି।
ପ୍ରାୟ ଶତାଧିକ ଗ୍ରାମରେ ୧ କି.ଗ୍ରା ଓଜନର କୁଆପଥର ପଡିବାରୁ ଅନେକ ବାଇକ, କାର ଓ ସ୍କୁଟିର କାଚ ଡିକି ଆଦି ଭାଙ୍ଗି ଯିବା ସହ ଘରେ ଲଗାଇଥିବା ସୋଲାର ପ୍ଲେଟ ମଧ୍ୟ କଣା ହୋଇ ନଷ୍ଟ ହୋଇଯାଇଛି।କୁଆପଥର ମାଡରେ ଚାଷୀ ମାନଙ୍କ ବାଇଗଣ, ତରଭୁଜ, ଜହ୍ନି ଆଦି ପନିପରିବା ଚାଷ ଉଜୁଡି ଯାଇଛି। ରାସ୍ତାରେ ଯାଇଉଥିବା ବାଟୋଇ ବାଇକ ରାସ୍ତାରେ ଛାଡି ସୁରକ୍ଷିତ ସ୍ଥାନକୁ ଯାଇ ପ୍ରାଣ ରକ୍ଷା କରିଛନ୍ତି।
ପାଟଣା ବ୍ଲକ ମୁଖ୍ୟାଳୟ ବଡ଼ପାଟଣା ପଞ୍ଚାୟତ ସ୍ୱାମସାଶନ, ନାଏକ ସାହି, ମୁଣ୍ଡାସାହି, ଗୁଳୁଦିପଶି, ସରାଶପଶି ସମେତ ପାଟଣା ବଜାର ଅଞ୍ଚଳର ସମସ୍ତ ଗ୍ରାମରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିଲା। ଏହାଛଡ଼ା ଏରେଣ୍ଡେଇ, କୁଆପଶି, ମଙ୍ଗଳପୁର, ଡିଆନାଳୀ, ଭାଲୁଘର, ମଲ୍ଲୀପଶି, ନୂଆଗାଁ ଆଦି ଅନେକ ଗ୍ରାମରେ କୁଆପଥର ମାଡରେ ବହୁ ଘର ଭାଙ୍ଗି ଯାଇଛି।
ଘର ସଙ୍ଗେ ସଙ୍ଗେ ମରାମତି ସମ୍ଭବ ନଥିବାରୁ ତତ୍କାଳ ପଲିଥିନ ଓ କ୍ଷତିପୂରଣ ଦାବିରେ ଶହ ଶହ ଲୋକେ ପାଟଣା ତହସିଲ ଘେରି ଥିବାବେଳେ ଜଣେ ତହସିଲ କର୍ମଚାରୀ ସେମାନଙ୍କୁ ଦୁର୍ବ୍ୟବହାର କରିବାରୁ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା। ସମସ୍ତ ଲୋକଙ୍କୁ ପଲଥିନ ଯୋଗାଇବା ସମ୍ଭବ ନଥିବାରୁ ତହସିଲ ପ୍ରଶାସନକୁ ୫ ଶହ ପାକେଟ ପଲଥିନ ଯୋଗାଇ ଦେବାକୁ ଚିଠି କରା ଯାଇଥିବା ସୂଚନା ମିଳିଛି। କାଳବୈଶାଖୀର କ୍ଷୟକ୍ଷତି ଖୁବଶୀଘ୍ର ଆକଳନ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।
