ଓଡ଼ିଆରେ ନାମଫଳକ ଅଭିଯାନ

  କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଓଡ଼ିଆ ପକ୍ଷ-୨୦୨୬ ଚତୁର୍ଥ ଦିବସରେ କେନ୍ଦୁଝରରେ ଓଡ଼ିଆରେ ନାମଫଳକ ଅଭିଯାନ ଆୟୋଜିତ ହୋଇଛି । ଏହିକ୍ରମରେ ଶନିବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ପଦଯାତ୍ରା ଆୟୋଜିତ କରି ଉକ୍ତ ଅଭିଯାନର ଶୁଭାରମ୍ଭ ହୋଇଛି ।

   ଜିଲ୍ଲାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବଜାରରେ ପଦଯାତ୍ରା ମାଧ୍ୟମରେ ଦୋକାନ ବଜାର, ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ସମେତ ଜିଲ୍ଲାରେ ପ୍ରତିଷ୍ଠିତ ସଂସ୍ଥା ନିଜର ନାମଫଳକକୁ ଓଡ଼ିଆରେ ଲେଖିବା ପାଇଁ ପ୍ରଶାସନ ପକ୍ଷରୁ ସଂସ୍ଥାର ମାଲିକ, କର୍ତ୍ତୃପକ୍ଷ ତଥା ଜନସାଧାରଣଙ୍କୁ ଉତ୍ସାହିତ କରାଯାଇଛି ।
      ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଅତିରିକ୍ତ ଶ୍ରମ ଅଧିକାରୀ ସୁଚିସ୍ମିତା ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ଉପସ୍ଥିତ ଥିଲେ ।
     ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଓଡ଼ିଆରେ ଲେଖା ନଥିଲା ସେହି ଦୋକାନ ମାଲିକ ମାନଙ୍କୁ ଓଡ଼ିଆରେ ଲେଖିବା ପାଇଁ ସଚେତନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *