ପୂର୍ବତନ ବିଧାୟକ କାହ୍ନୁ ନାଏକଙ୍କ ପରଲୋକ

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର):ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକଙ୍କ ୭୭ ବର୍ଷ ବୟସରେ ଗୁରୁବାର ପରଲୋକ ଘଟିଛି। କିଛି ମାସ ହେଲା ସେ ଅସୁସ୍ଥ ଥାଇ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚିକିତ୍ସାଧିନ ରହିବା ପରେ ନିକଟରେ ଘରକୁ ଫେରିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Advertisement

       ସେ ୧୯୯୦ ରୁ ୧୯୯୫ ଯାଏଁ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ସକ୍ରିୟ ରାଜନୀତିରେ ଥିଲେ ମଧ୍ୟ ଭାଗ୍ୟ ତାଙ୍କ ସାଥ ଦେଇ ନଥିଲା । ଅପରପକ୍ଷରେ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ନାଏକ ପାଟଣା ବ୍ଲକ ଅଧ୍ୟକ୍ଷା ପଦ ଓ ତାଙ୍କ ସାନପୁଅ ଜଗନ୍ନାଥ ନାଏକ ୨୦୧୯ରେ ବିଜୁ ଜନତା ଦଳରୁ ପାଟଣା ବିଧାୟକ ହୋଇଥିଲେ ।

     ପାଟଣା ବ୍ଲକ ଭଗପଶି ଗ୍ରାମର ବାସିନ୍ଦା ସ୍ୱର୍ଗତ କାହ୍ନୁ ଚରଣ ପୁଅ ପାଖରେ କେନ୍ଦୁଝରରେ ରହୁଥିଲେ। ଚିକିତ୍ସାରେ ଉନ୍ନତି ନଘଟିବାରୁ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ଗୁରୁବାର ସନ୍ଧ୍ୟା ୮ ପରେ ତାଙ୍କର ପରଲୋକ ଘଟିଛି।

     କାହ୍ନୁଚରଣଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର , ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଚମ୍ପୁଆ ବିଧାୟକ ସନାତନ ମହାକୁଡ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁ ,ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପୂର୍ବତନ ବିଧାୟକ ହୃଷିକେଶ ନାଏକ, କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାଏକ, ଝୁମ୍ପୁରା ବ୍ଲକ ବିଜେଡି ସଭାପତି ଡମ୍ବରୁଧର ଦାସ, ଚମ୍ପୁଆ ବ୍ଲକ ବିଜେଡି ସଭାପତି ଚୂଡ଼ାମଣି ମହାନ୍ତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

     ମୃତୁ ଶଯ୍ୟା ନିକଟରେ ତାଙ୍କର ୩ ପୁଅ ଲୋକନାଥ, ସତ୍ୟବ୍ରତ ଓ ଜଗନ୍ନାଥଙ୍କ ସହ ଝିଅ ଝରଣା ଓ ପୁତୁରା ଜ୍ୟୋତିରଞ୍ଜନ ସିଂହଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଶୁକ୍ରବାର ଭଗପଶି ଗ୍ରାମରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Leave a Reply

Your email address will not be published. Required fields are marked *