ଅବପାତ ଗତି ମନ୍ଥର;ଦକ୍ଷିଣ ଓଡ଼ିଶାରେ ପ୍ରବଳବର୍ଷା ଆଶଙ୍କା:ଆଇଏମଡି ଡିଜି

କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତର ଗତି ମନ୍ଥର ରହିଛି। ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଗଭୀର ଅବପାତଟି ଧୀରେ ଧୀରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହାର ଗତି ମନ୍ଥର ଥିବାରୁ ବର୍ଷାର ପରିମାଣ ଅଧିକ ରହିବା ସହ ଏହାର ପ୍ରଭାବ ଦୀର୍ଘ ସମୟ ଧରି ଅନୁଭୂତ ହେବା ଆଶଙ୍କା ରହିଛି।

      ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ଗଭୀର ଅବପାତକୁ ଉପକୂଳ ଛୁଇଁବା ପାଇଁ ଆହୁରି ପ୍ରାୟ ୭ ଘଣ୍ଟା ସମୟ ଲାଗିପାରେ। ଆଜି ରାତିରେ ଏହା କଳିଙ୍ଗପଟ୍ଟନମ ନିକଟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଉପକୂଳ ଅତିକ୍ରମ ସମୟରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ପବନର ବେଗ ବୃଦ୍ଧି ପାଇପାରେ ।

      ଗଭୀର ଅବପାତର ପ୍ରଭାବ ସମଗ୍ର ଦକ୍ଷିଣ ଓଡ଼ିଶା ଉପରେ ରହିବ। ବିଶେଷକରି ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଭଳି ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ପ୍ରଭାବ ଅଧିକ ରହିବା ଆଶଙ୍କା କରାଯାଉଛି। ମନ୍ଥର ଗତି ଯୋଗୁଁ ଅନେକ ସ୍ଥାନରେ ଦୀର୍ଘ ସମୟ ଧରି ବର୍ଷା ହୋଇପାରେ। ଅତିବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ନଦୀନାଳର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ଯାତାୟାତରେ ବାଧା ସୃଷ୍ଟି ହୋଇପାରେ। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

Leave a Reply

Your email address will not be published. Required fields are marked *