ରାଉରକେଲା ଆରଟିଓ ଅଫିସ୍‌ରେ ଭିଜିଲାନ୍ସ ଚଢ଼ାଉ

୨୬ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ୨ କର୍ମଚାରୀ
କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଠୋର ଆଭିମୁଖ୍ୟ ଜାରି ରହିଥିବା ବେଳେ ବୁଧବାର ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ଫ୍ରେସ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (FRC) ପ୍ରଦାନ କରିବା ବାବଦକୁ ୨୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆରଟିଓ ଅଫିସ୍‌ର ୨ ଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଡିଲିଂ କ୍ଲର୍କ-ତଥା-ନାଇଟ୍ ୱାଚର୍ ନିରଞ୍ଜନ ଷଣ୍ଢ ଏବଂ ଆଇଟି ଏକ୍ସିକ୍ୟୁଟିଭ୍ ଧର୍ମେନ୍ଦ୍ର କୁମାର ବେହେରା।

           ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ିର ପୂର୍ବତନ ମାଲିକ ବ୍ୟାଙ୍କ୍ ଋଣ ପରିଶୋଧ କରିନପାରିବାରୁ ଇଣ୍ଡୁସଇଣ୍ଡ୍ (IndusInd) ବ୍ୟାଙ୍କ ଦ୍ୱାରା ଦୁଇଟି ଟ୍ରକ୍‌କୁ ନିଲାମ କରାଯାଇଥିଲା। ଅଭିଯୋଗକାରୀ ଉକ୍ତ ନିଲାମ ପ୍ରକ୍ରିୟାରେ ଟ୍ରକ୍ ଦୁଇଟିକୁ କିଣିଥିଲେ। ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ନିୟମ ଅନୁଯାୟୀ ନୂଆ ମାଲିକ ଗାଡ଼ିର ଫ୍ରେସ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (FRC) ପାଇଁ ରାଉରକେଲା ଆରଟିଓ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ମାତ୍ର ବାରମ୍ବାର ଅନୁରୋଧ ସତ୍ତ୍ୱେ ଡିଲିଂ କ୍ଲର୍କ ନିରଞ୍ଜନ ଷଣ୍ଢ ତାଙ୍କ ଆବେଦନକୁ ଆଗକୁ ବଢ଼ାଇ ନଥିଲେ। ଏହାର ବଦଳରେ ସେ ଟ୍ରକ୍ ପିଛା ୧୩୦୦୦ ଟଙ୍କା ହିସାବରେ ଦୁଇଟି ଟ୍ରକ୍ ପାଇଁ ମୋଟ ୨୬୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।

         ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ବୁଧବାର ଟଙ୍କା ନେଣଦେଣ ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି କ୍ଲର୍କ ନିରଞ୍ଜନ ଷଣ୍ଢ ଏବଂ ତାଙ୍କ ସହଯୋଗୀ ଆଇଟି ଏକ୍ସିକ୍ୟୁଟିଭ୍ ଧର୍ମେନ୍ଦ୍ର କୁମାର ବେହେରାଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ସମସ୍ତ ୨୬୦୦୦ ଟଙ୍କାର ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହି ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଲିଂ କ୍ଲର୍କ ଶ୍ରୀ ଷଣ୍ଢଙ୍କ ସହ ଜଡ଼ିତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଖାନତଲାସୀ ଜାରି ରହିଛି।

       ଏ ନେଇ ରାଉରକେଲା ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ ର ଧାରା ୭ ଅନୁଯାୟୀ କେସ୍ ନଂ ୦୭/୨୦୨୬ ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଅବ୍ୟାହତ ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *