କେନ୍ଦୁଝର ସାଇନ (ଜ୍ଞାନରଞ୍ଜନ ମିଶ୍ର): ମହାମହିମ ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୁରଭଞ୍ଜ ଜିଲା ଗସ୍ତକୁ ନେଇ ସଜେଇ ହେଉଛି ତାଙ୍କ ଶ୍ବଶୁରଘର ବାମନଘାଟି ଉପଖଣ୍ଡର କୁସୁମୀ ବ୍ଲକ ପାହାଡ଼ପୁର ଗାଁ । ଏ ନେଇ ଉତ୍ସବ ମୁଖର ହୋଇପଡିଛି ପାହାଡ଼ପୁର ଗାଁ ଓ ଆଖପାଖ ଗାଁର ଅଧିବାସୀ। ଗାଁକୁ ପ୍ରଶାସନ, ପୁଲିସ ଓ ବିଭିନ୍ନ ଲାଇନ ବିଭାଗ ଉଚ୍ଚ ପଦାଧିକାରୀଙ୍କ ଘନଘନ ଗସ୍ତ, ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସୂଚୀର ସମୀକ୍ଷା ଜାରି ରହିଛି। ସେମାନଙ୍କ ସହ ଏହି ଗାଁରେ ତାଙ୍କ ନିଜସ୍ୱ ଜମିରେ ତାଙ୍କ ଦ୍ୱାରା ସ୍ଥାପିତ ଏସଏଲଏସ ସ୍ମୃତି ଆବାସିକ ବିଦ୍ୟାଳୟ ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।
ପାହାଡ଼ପୁର ଗାଁ ଦାଣ୍ଡ, ସାନ୍ତାଳୀ ସମ୍ପ୍ରଦାୟର ପୂଜାସ୍ଥଳୀ ଜାହିରାଗାଳ । ଗାଁ ମୁଣ୍ଡରେ ଥିବା ତାଙ୍କ ସ୍ୱାମୀ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଥିବା ଛକ ଏବେ ଚକଚାକ ହୋଇଛି। ଶନିବାର ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି ପାହାଡ଼ପୁର ଗାଁ ଉତ୍ସବମୁଖର ହୋଇପଡିଛି। ଗାଁରେ ସ୍ୱାଗତ ପାଇଁ ସୁଦୃଶ୍ୟ ତୋରଣ, ଫାଟକ ନିର୍ମାଣ ସହ ରାସ୍ତା ଘାଟ ସଫେଇ, ବ୍ୟାରିକେଡ଼ ନିର୍ମାଶ ଶେଷ ପର୍ଯ୍ୟାୟରେ ।

.ମୟୂରଭଞ୍ଜ ଜିଲା ବାମନଘାଟି ଉପଖଣ୍ଡର କୁସୁମୀ ବ୍ଲକ ପାହାଡ଼ପୁର ଗାଁ ଆଉ ଆଖ୍ୟାତ ପଲ୍ଲୀ ହୋଇ ରହିନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଖ୍ୟାତ ହୋଇଯାଇଛି । ଗାଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଗାଁର ଆଦିବାସୀ ଓ ହୋ ସମାଜ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଛି । ସଜେଇ ହେଉଛି ପାହାଡ଼ପୁର । ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ସହ ତାଙ୍କ ପାହାଡ଼ପୁର ଗସ୍ତ କାଳରେ ସାନ୍ତାଳୀଙ୍କ ପୂଜାସ୍ଥଳୀ ଗୋଶାଣେ ଓ ଜାହେର ଥାନ ପରିଦର୍ଶନ କରିବେ। ପରେ ସେ ହୋ ସମାଜର ଜାହିରା ପରିଦର୍ଶନ କରିବେ । ଗ୍ରାମବାସୀଙ୍କ ସହ ସେ ଭାବ ବିନିମୟ କରିବେ।
ଦେଶର କୌଣସି ପ୍ରଧାନମନ୍ତ୍ରୀଙ୍କ ଆଦିବାସୀ ସାନ୍ତାଳୀ ଓ ହୋ ସମ୍ପ୍ରଦାୟଙ୍କ ଜାହିରା ପୂଜାସ୍ଥଳୀ ପରିଦର୍ଶନ ଓ ପୂଜା କରିବା ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହାପରେ ସେ ପାହାଡ଼ପୁରସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ଓ ସ୍ବର୍ଗତ ଶ୍ୟାମଚରଣ ମୁର୍ମୁ, ସ୍ବର୍ଗତ ଲକ୍ଷ୍ମଣ ମୁର୍ମୁ ଓ ସ୍ବର୍ଗତ ସିପୁନ ମୁର୍ମୁ (ଏସଏଲଏସ) ସ୍ମାରକୀ ଆବାସିକ ବିଦ୍ୟାଳୟ ପରିସରକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
